Hot Posts

6/recent/ticker-posts

ନିଷ୍ଠାପର ସେବାପାଇଁ ୫୫ ପୋଲିସଙ୍କୁ ମିଳିଲା ‘ଡିଜିପି ଡିସ୍କ’ ସମ୍ମାନ: ଭଞ୍ଜନଗର ଥାନା ପାଇଁ ଗୌରବ ଆଣିଲେ ସମୀର

ବ୍ରହ୍ମପୁର, ୧୩/୦୮ ( ଜେ. କେ ପଟ୍ଟନାୟକ ) : ରାଜ୍ୟ ପୋଲିସ ବିଭାଗରେ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଭଳି ନିଷ୍ଠାପର ସେବା ତଥା ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ୫୫ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଗୁରୁବାର ସମ୍ମାନିତ କରାଯାଇଛି। ସ୍ଥାନୀୟ ପୋଲିସ ଭବନଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ତଥା ସ୍ବତନ୍ତ୍ର ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କୃତୀ ଅଧିକାରୀମାନଙ୍କୁ ପ୍ରତିଷ୍ଠିତ ‘ଡିଜିପି ଡିସ୍ମ’ ସହ ମାନପ‌ତ୍ର ପ୍ରଦାନ କରିଛନ୍ତି। ଆଇନଶୃଙ୍ଖଳା ନିୟନ୍ତ୍ରଣ ଏବଂ ନିଜ କର୍ତ୍ତବ୍ଯ ପ୍ରତି ଉତ୍ସର୍ଗୀକୃତ ମନୋଭାବ ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପଦକ ପ୍ରଦାନ କରାଯାଇଛି। ଏହି ସମାରୋହରେ ରାଜ୍ୟର ଅନେକ ବରିଷ୍ଠ ପୋଲିସ ଅଧୂକାରୀ ପୁରସ୍କୃତ ହୋଇଛନ୍ତି। ସେଥି ମଧ୍ୟରେ ଗଞ୍ଜାମ ଏସପି ହରିଶ ବିଶି, ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍ ଙ୍କ ସମେତ ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ମଧ୍ୟ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। ୨୦୧୭ ମସିହାରେ ବୁଗୁଡ଼ା ଥାନାରୁ ନିଜର କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀ ସେଠୀ ଆଜକୁ ଦୁଇବର୍ଷ ହେବ ଭଞ୍ଜନଗର ଥାନାରେ କାର୍ଯ୍ୟରତ ଅଛନ୍ତି। ଏହି ସମୟରେ ସେ ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଡିପିଓ ଡକ୍ଟର ଦୀପକ ମିଶ୍ର, ଏ ଏସ ପି ରଞ୍ଜନ କୁମାର ଦେ ଏବଂ ଗଞ୍ଜାମ ଏସପି ହରିଶ ବିଶିଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ଅଞ୍ଚଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି। ସାହାସିକତାର ସହ ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବା ସହ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଶ୍ରୀ ସେଠୀଙ୍କ କାର୍ଯ୍ୟଦକ୍ଷତା ଭଞ୍ଜନଗର ଥାନା ପାଇଁ ଗୌରବ ଆଣି ଦେଇଛି।ତେଣୁ ବିଭିନ୍ନ ମହାଳରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।