ବନ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା
ଯାଜପୁର, ୦୧/୦୮ (ପ୍ରଦୀପ କୁମାର ମଲ୍ଲିକ) : ବୈତରଣୀ ଓ କାଣୀ ନଦୀର ବନ୍ୟା ଓ ଦୁଇ ଦୁଇଟି ଘାଇ ପ୍ରଭୂତ କ୍ଷୟ କ୍ଷତି ଘଟାଇଛି। ଦଶରଥପୁର ବ୍ଲକର ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ଶନିବାର ଅଧିକ ପ୍ରଭାବିତ କସପା ଓ ତରପଦା ପଞ୍ଚାୟତ ପରିଦର୍ଶନ କରିଥିଲେ। ବନ୍ୟା ପାଣି ଛାଡ଼ିଯିବା ପରେ ମଧ୍ୟ ଅନେକ ସ୍ଥାନରେ ଦେଖାଦେଇଥିବା ସମସ୍ୟା, ଚାଷଜମିର କ୍ଷୟକ୍ଷତି, ଭିତ୍ତିଭୂମିର ଅବସ୍ଥା ଏବଂ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ପରିଦର୍ଶନ ସମୟରେ ସାଂସଦ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ସେମାନଙ୍କ ଅଭାବ-ଅସୁବିଧା ବୁଝିବା ସହ ଆବଶ୍ୟକ ସରକାରୀ ସହାୟତା ଯଥାଶୀଘ୍ର ପହଞ୍ଚାଇବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ବିଶେଷ କରି ଚାଷଜମିରେ ବାଲିଚର ପଡ଼ିବା, ଫସଲ ନଷ୍ଟ, ପାନୀୟ ଜଳର ସମସ୍ୟା, ରାସ୍ତାଘାଟର କ୍ଷତି ଓ ପଶୁଖାଦ୍ୟର ଅଭାବ, ସାପ କାମୁଡା ଇଞ୍ଜେକ୍ସନ, ସ୍ବାସ୍ଥ୍ୟ ସେବା ଉପଲବ୍ଧ ଉପରେ ଗୁରୁତ୍ୱ ଦେଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି ନେଇ ସେ ବିଭାଗୀୟ ଶୀର୍ଷ ଅଧିକାରୀ ଓ ଜିଲା ପ୍ରଶାସନ ସହ କଥା ହେବେ ବୋଲି କହିଥିଲେ । କସପା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇଥିଲେ। ଡ଼. ବେହେରା କ୍ଷତିଗ୍ରସ୍ତ ରାସ୍ତା ଓ ଜନସେବାମୂଳକ ଭିତ୍ତିଭୂମିର ଶୀଘ୍ର ମରାମତି, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ସୁଦୃଢ଼ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ରିଲିଫ୍ ଓ କ୍ଷତିପୂରଣ ସମୟ ମଧ୍ୟରେ ପ୍ରଦାନ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ସେ କହିଥିଲେ, ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ୱାଭାବିକ ଜନଜୀବନ ଫେରାଇ ଆଣିବା ସରକାରଙ୍କ ପ୍ରାଥମିକତା ଏବଂ କୌଣସି ପ୍ରଭାବିତ ପରିବାର ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସମସ୍ତ ଅଧିକାରୀ ସଜାଗ ରହି କାର୍ଯ୍ୟ କରିବା ଆବଶ୍ୟକ। ବୈଠକରେ ବନ୍ୟା ପରବର୍ତ୍ତୀ ପୁନର୍ବାସ ଓ ଦୀର୍ଘମିଆଦି ପ୍ରତିରୋଧ ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଥିଲା।ବୈଠକରେ ବିଜେପି ନେତା ଗୌତମ ରାୟ, ସ୍ଥାନୀୟସରପଞ୍ଚଙ୍କ ପ୍ରତିନିଧି ପ୍ରବୀର କୁମାର ନାୟକ, ସୁବାସ ଚନ୍ଦ୍ର ମହାନ୍ତି, ସୁନୀଲ ରାଉତ, ଚିତ୍ତରଞ୍ଜନ ସାମଲ, ପ୍ରିୟାଶୁ ପଣ୍ଡା, ଲକ୍ଷ୍ମୀଧର ସାହୁ, ଇନ୍ଦ୍ରଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବନ୍ୟା ପରିଚାଳନା ସନ୍ତୋଷଜନକ ବୋଲି ସାଂସଦ ପ୍ରକାଶ କରିଥିଲେ।