Hot Posts

6/recent/ticker-posts

ଲଛମନ ବାଲାଜୀଉ ସ୍ନାତକ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ’ ପକ୍ଷରୁ ନାରୀ ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଓ ୬ ଦିନିଆ ସ୍ୱୟଂରକ୍ଷା ପ୍ରଶିକ୍ଷଣ ସଫଳତାର ସହ ସମ୍ପନ୍ନ

ବିଞ୍ଝାରପୁର, ୦୧/୦୮ (ପ୍ରଦୀପ କୁମାର ମଲ୍ଲିକ) : ଯାଜପୁର ଜିଲ୍ଲାର ଅଙ୍ଗାଳୋସ୍ଥିତ ଲଛମନ ବାଲାଜୀଉ ସ୍ନାତକ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତିକରଣ ପ୍ରକୋଷ୍ଠ’ ଆନୁକୂଳ୍ୟରେ ଏକ ଦିନିଆ ନାରୀ ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଏବଂ ୬ ଦିନିଆ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଗତ ୨୧.୦୭.୨୦୨୬ ତାରିଖ ମଙ୍ଗଳବାର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଜୟଦେବ ଥାଟୋଇଙ୍କ ସଭାପତିତ୍ୱରେ ନାରୀ ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସମାଜସେବୀ ପଦ୍ମାକର ଗୁରୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବାବେଳେ, ଲଛମନ ବାଲାଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ରାଏ ମୁଖ୍ୟଅତିଥି ଭାବେ ଉପସ୍ଥିତ ଥିଲେ। ସମ୍ମାନିତ ବକ୍ତା ଭାବେ ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ମଦନମୋହନ ପରିଡା ଏବଂ ଲଛମନ ବାଲାଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ଆଲୋକ କୁମାର ସାମଲ ଯୋଗଦେଇଥିଲେ। ‘ଶକ୍ତିଶ୍ରୀ’ ପ୍ରକୋଷ୍ଠର ସଂଯୋଜିକା ତଥା ଗଣିତ ବିଭାଗର ବିଭାଗୀୟ ମୁଖ୍ୟ ଶୁଭଶ୍ରୀ ସାମଲ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ବକ୍ତାମାନେ ସେମାନଙ୍କ ଅଭିଭାଷଣରେ ‘ଶକ୍ତିଶ୍ରୀ ଏମ୍ପାୱାରମେଣ୍ଟ ସେଲ୍’ର ମୂଳ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ମହିଳା ସଶକ୍ତିକରଣ, ଲିଙ୍ଗ ସମାନତା, ସୁରକ୍ଷା, ଆତ୍ମବିଶ୍ୱାସ ଏବଂ ସାମାଜିକ ସଚେତନତାର ବିକାଶ ଆଜିର ସମୟର ପ୍ରମୁଖ ଆବଶ୍ୟକତା। ଶିକ୍ଷା, ସ୍ୱାବଲମ୍ବନ ଓ ଆତ୍ମରକ୍ଷା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରିବା ସମାଜର ସମସ୍ତଙ୍କ ଦାୟିତ୍ୱ। ଏକ ସୁରକ୍ଷିତ ଓ ସମ୍ମାନପୂର୍ଣ୍ଣ ସମାଜ ଗଠନ ପାଇଁ ସଚେତନତା ହିଁ ପରିବର୍ତ୍ତନର ପ୍ରଥମ ପଦକ୍ଷେପ ବୋଲି ସେମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଭରତଚନ୍ଦ୍ର ବେହେରା ପରିଚାଳନା କରିଥିବାବେଳେ, ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଭବରଞ୍ଜନ ସାମଲ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ। ଏହାପରେ ୨୨.୦୭.୨୦୨୬ରୁ ୨୭.୦୭.୨୦୨୬ ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ୬ ଦିନିଆ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିରେ କଲେଜର ଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରଶିକ୍ଷକମାନେ ସ୍ୱୟଂରକ୍ଷାର ବିଭିନ୍ନ କୌଶଳ, ଜରୁରୀ ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବାର ଉପାୟ, ଶାରୀରିକ ଫିଟନେସ, ମାନସିକ ଦୃଢତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ସମ୍ପର୍କିତ ବ୍ୟବହାରିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରତିଦିନ ୱାର୍ମଅପ୍, ବ୍ୟାୟାମ, ମୌଳିକ ସ୍ୱୟଂରକ୍ଷା କୌଶଳ ଓ ବ୍ୟବହାରିକ ଅଭ୍ୟାସ କରାଯାଇଥିଲା। ଏହି ପ୍ରଶିକ୍ଷଣ ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ସାହସ, ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ସଚେତନତା ବୃଦ୍ଧି ପାଇଥିଲା। ଶେଷ ଦିନରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିବାବେଳେ ସମଗ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଶିକ୍ଷାପ୍ରଦ, ଉପଯୋଗୀ ଓ ପ୍ରେରଣାଦାୟକ ସାବ୍ୟସ୍ତ ହୋଇଥିଲା। ସମଗ୍ର ପ୍ରଶିକ୍ଷଣ ଶିବିର ସ୍ୱୟଂରକ୍ଷା ପ୍ରଶିକ୍ଷକ ସୁନିତା ଦାସଙ୍କ ତତ୍ତ୍ୱାବଧାନରେ ସୁଚାରୁରୂପେ ପରିଚାଳିତ ହୋଇଥିଲା।