ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି
ବରୀ, ୦୧/୦୮ ( ରଂଜିତ ମହାନ୍ତି ) : କିଛି ଖଳ ପ୍ରକୃତିର ଲୋକଙ୍କ ପାଇଁ ଏମଡିଆର-୧୪ ରୁ ରଜାପୁର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଆଜକୁ ଦୀର୍ଘ ଦିନ ହେଲା ଅଧାରୁ ଅଧିକ ଅବରୋଧ ହୋଇଥିଲା । ଦୁଇଦିନ ତଳେ ବରୀ ବ୍ଲକରେ ବନ୍ୟା ହୋଇଥିଲା ବେଳେ ଏହି ରାସ୍ତାକୁ ବାଉଁଶ ବାନ୍ଧି ସମ୍ପୂର୍ଣ୍ଣ ଅବରୋଧ କରାଯାଇଥିଲା । ରାସ୍ତା ଅବରୋଧ ହେବା ଦ୍ୱାରା ୭ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଗତ ୨୦ ତାରିଖ ଦିନ ଅରଙ୍ଗାବାଦ ପଞ୍ଚାୟତବାସୀଙ୍କ ପକ୍ଷରୁ ବରୀ ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏ ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ହେଲେ ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ । ହେଲେ ବନ୍ୟା ସମୟରେ ଏହି ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହେବା ନେଇ ଗତକାଲି “ଓଡ଼ିଶା ଲିଡ୍ସ”ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା । ଖବର ପ୍ରକାଶ ପରେ ଆଜି ସକାଳୁ ଅବରୋଧ ହଟିଥିଲା । ଆଜି ଉମେଶ ଦାସଙ୍କ ନେତୃତ୍ୱରେ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁଙ୍କୁ ଭେଟି ରାସ୍ତା ଅବରୋଧ ନେଇ ଆଲୋଚନା କରିବା ସହିତ ସ୍ଥାୟୀ ସମାଧାନ ପାଇଁ ଦାବି କରିଥିଲେ । ସମସ୍ତ ବିଷୟ ଶୁଣି ଅତିରିକ୍ତ ଜିଲ୍ଲାପାଳ ଏ ନେଇ ବରୀ ତହସିଲଦାରଙ୍କ ସହିତ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ରାସ୍ତା ଅବରୋଧ ନେଇ ତ୍ୱରିତ ପଦକ୍ଷେପ ନେଇ ଥିବାରୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଉମେଶ ଦାସ ଅତିରିକ୍ତ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି ।