ଫୁଲବାଣୀ, ୦୨/୦୮ ( ବାଳକୃଷ୍ଣ କହଁର ) : କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଫୁଲବାଣୀ ଠାରେ ନିର୍ମିତ ନୂତନ ମେଡିକାଲ କଲେଜ କୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ଙ୍କ ନାମ ହଟାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ କନ୍ଧମାଳ ମିଳିତ ମଞ୍ଚରେ ଆଦିବାସୀ, ହରିଜନ, ଭୀମଆର୍ମି ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଦୁଇଶହ ରୁ ଉର୍ଦ୍ଧ ଲୋକେ ପ୍ରତିବାଦ ରାଲି ଓ ସଭାରେ ଯୋଗ ଦେଇଥିଲେ। ମେଡିକାଲ କଲେଜ ନାମ କରଣ ସ୍ଵାମୀଜୀଙ୍କ ନାମ ବାଦ ଦେବାକୁ ସ୍ଲୋଗାନ ଦେଇଥିଲେ। ଏହି ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଚାଲିଥିବା ବେଳେ ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ରେ ସାଂସଦ ଓ ବିଧାୟକ ଙ୍କ ଉପସ୍ଥିତିରେ ଜନଶୁଣାଣୀ କାର୍ଯ୍ୟକ୍ରମ ଚାଲିଥିଲା। ଜନଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ , ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ଏସପି ରମେନ୍ଦ୍ର ପ୍ରସାଦ ଓ ଜିଲ୍ଲାର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ଶୁଣାଣି କରୁଥିଲେ। ଏଥିରେ ପୋଲିସ ଫାଟକ ବନ୍ଦ କରିଥିବାରୁ ଆନ୍ଦୋଳନ କାରୀମାନେ ଦାବିପତ୍ର ଦେବାକୁ ପୋଲିସ ସହ ଯୁକ୍ତିତର୍କ କରିଥିଲେ। ଶେଷରେ ଜିଲ୍ଲାପାଳ ଓ ଏସପି ଆସି ଦାବିପତ୍ର ଗ୍ରହଣ କରିଥିଲେ। କିଛି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା କରି ଥାନା ଅଧିକାରିଣୀ ପ୍ରଜ୍ଞାପ୍ରିତମ୍ବର କର କଡା ନିରାପତ୍ତା ପାଈଁ ବ୍ୟାପକ ପୋଲିସ ମୁତୟନ କରିଥିଲେ। ତେବେ ଗତ ୨୮ ତାରିଖରେ ରାଜ୍ୟସରକାର କନ୍ଧମାଳ ଭେଷଜ ମହାବିଦ୍ୟାଳୟକୁ ସ୍ବର୍ଗତ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ପାଇଁ ବିଞପ୍ତି ପ୍ରକାଶ କରିଥିଲେ। ଫଳରେ କୁଇ ସମାଜର ନେତା ଲମ୍ବୋଦର କହଁର ଙ୍କ ନେତୃତ୍ୱରେ ମିଳିତ ମଞ୍ଚର ସଦସ୍ୟ ମାନେ ପ୍ରତିକ୍ରିୟା ପ୍ରକାଶ କରି ଲକ୍ଷ୍ମଣାନନ୍ଦ ସରସ୍ବତୀ କନ୍ଧମାଳ ଜିଲ୍ଲାର ନୁହନ୍ତି ବୋଲି ଅଭିଯୋଗ କରି ନାମ ହଟାଇବାକୁ ଦାବୀ କରିଥିଲେ। ଏଥିରେ କିଛି ଷଡଯନ୍ତ୍ର ରହିଛି କି ବୋଲି ପ୍ରଶ୍ନ କରିବା ସହ ୧୫ ଦିନ ମଧ୍ୟରେ ନାମ ନ ହଟାଇଲେ ଆନ୍ଦୋଳନ ଆହୁରି ଆଗକୁ କରିବେ ବୋଲି କହିଥିଲେ। ଖ୍ରୀଷ୍ଟିଆନ ମୋର୍ଚ୍ଚାର କେତେ ସଦସ୍ୟ ମଧ୍ୟ ପ୍ରତିବାଦରେ ସାମିଲଥିଲେ। ଅପର ପକ୍ଷରେ କନ୍ଧମାଳ ସାଂସଦ, ଫୁଲବାଣୀ ବିଧାୟକ, ବିଜେପି ଜିଲ୍ଲା ସଭାପତି, ଏସ ଡି ସି ଅଧକ୍ଷ, ଓ ବିଜେପିର ବହୁ ସ୍ଥାନୀୟ ନେତା ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କୁ ସ୍ୱାମୀଲକ୍ଷ୍ମଣା ନନ୍ଦ ସରସ୍ବତୀ ଙ୍କ ନାମରେ ନୂତନ ଭେଷଜ ମହା ବିଦ୍ୟାଳୟକୁ ନାମିତ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଫଳରେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।ଏକ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଭେଷଜ ମହାବିଦ୍ୟାଳୟ କୁ ଉଦ୍ଧଘାଟନ କରିଥିବା ବେଳେ ବର୍ତମାନ କାହିଁକି ନାମ ପରିବର୍ତ୍ତନ କରାଗଲା ବୋଲି କନ୍ଧମାଳ ବାସି ଙ୍କ ମନରେ ଚର୍ଚ୍ଚା ଜୋର ଧରିଛି।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
