Hot Posts

6/recent/ticker-posts

ସାଗରମୁଣ୍ଡା ସାଗରର ଇତିହାସ: ଦୀର୍ଘ ବର୍ଷର ତପସ୍ୟା କେବେ ସାର୍ଥକ ହେବ?

ନବରଙ୍ଗପୁର, ୦୩/୦୮ (ଶେଖର ଖୁରା) : ନବରଙ୍ଗପୁର ସହର ଉପକଣ୍ଠରେ ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଅବସ୍ଥିତ ଐତିହାସିକ ସାଗରମୁଣ୍ଡା ସାଗରକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ନେଇ ବୁଦ୍ଧିଜୀବୀ ଓ ସ୍ଥାନୀୟ ମହଲରେ ବ୍ୟାପକ ଚର୍ଚ୍ଚା ଜୋର ଧରିଛି। ଏହି ସାଗର କେବଳ ଏକ ଜଳାଶୟ ନୁହେଁ, ବରଂ ନବରଙ୍ଗପୁରର ଐତିହ୍ୟ ଓ ସାଂସ୍କୃତିକ ଗୌରବର ଏକ ଜୀବନ୍ତ ସାକ୍ଷୀ। ଦୁଃଖର ବିଷୟ, ସାଗରମୁଣ୍ଡାର ପ୍ରକୃତ ଇତିହାସ ଏବଂ ଏହାର ନାମକରଣର ପୃଷ୍ଠଭୂମି ଆଜି ପର୍ଯ୍ୟନ୍ତ ସଠିକ୍ ଭାବେ ଲିପିବଦ୍ଧ ହୋଇପାରିନାହିଁ। ସାଗରର ପଛପଟେ ଅବସ୍ଥିତ 'ହାତୀ ପଥର' ସ୍ମାରକ ନବରଙ୍ଗପୁର ଓ କଳାହାଣ୍ଡି ରାଜାଙ୍କ ସହ ଜଡ଼ିତ ଏକ ଐତିହାସିକ ସ୍ମୃତିଚିହ୍ନ ବୋଲି ସ୍ଥାନୀୟ ଲୋକକଥାରେ ବର୍ଣ୍ଣିତ ହୋଇଥାଏ। କୁହାଯାଏ, ଉଭୟ ରାଜାଙ୍କ ହାତୀମାନଙ୍କର ପ୍ରେମ, ବିଶ୍ୱସ୍ତତା ଓ ତ୍ୟାଗର ସ୍ମୃତିକୁ ଏହି ସ୍ମାରକ ବହନ କରୁଛି। ଏହି ଐତିହାସିକ ସ୍ଥାନର ସଂରକ୍ଷଣ ଓ ପ୍ରଚାର ନବରଙ୍ଗପୁରର ସାଂସ୍କୃତିକ ପରିଚୟକୁ ଆହୁରି ସମୃଦ୍ଧ କରିପାରିବ। ସାଗରମୁଣ୍ଡା ଶିଖରରେ ଥିବା ଶିବ ମନ୍ଦିର, ଚତୁର୍ଦ୍ଦିଗର ପାହାଡ଼ିଆ ପ୍ରାକୃତିକ ପରିବେଶ, ନିକଟରେ ଥିବା ଆଦର୍ଶ ବିଦ୍ୟାଳୟ, ପଛପଟରେ ଅବସ୍ଥିତ ସରକାରୀ ଖେଳ ପଡ଼ିଆ ଏବଂ ସବୁଜ ପରିବେଶ ଏହି ଅଞ୍ଚଳକୁ ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଆକର୍ଷଣୀୟ କରିଛି। ସମ୍ପ୍ରତି ନନ୍ଦାହାଣ୍ଡି ବ୍ଲକର ଯୁଗ୍ମ ଜନଶୁଣାଣି ଶିବିରରେ ନବରଙ୍ଗପୁର ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ସାଗରମୁଣ୍ଡାର ବିକାଶ ପ୍ରସ୍ତାବକୁ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରି ଯୋଜନାକୁ ଆଗକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୌନ୍ଦର୍ଯ୍ୟୀକରଣ ଓ ପରିବେଶ ସୁରକ୍ଷା ସହ ଏହି ସ୍ଥାନର ସାମଗ୍ରିକ ବିକାଶ କରାଗଲେ ଏହା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇପାରିବ। ସ୍ଥାନୀୟ ଲୋକଙ୍କ ମତରେ, ପ୍ରାୟ ୧୦୦ ଏକର ଜମିକୁ ନେଇ ଏଠାରେ ଏକ ଭବ୍ୟ ପାର୍କ, ପର୍ଯ୍ୟଟନ କେନ୍ଦ୍ର, ପ୍ରାକୃତିକ ଉଦ୍ୟାନ, ଆଧ୍ୟାତ୍ମିକ ପରିସର ଓ ଏକ ବିଶାଳ ମନ୍ଦିର ନିର୍ମାଣ କରାଗଲେ ଜିଲ୍ଲାର ପର୍ଯ୍ୟଟନ, ରୋଜଗାର ସୃଷ୍ଟି ଓ ଅର୍ଥନୈତିକ ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇପାରିବ। ଏବେ ପ୍ରଶ୍ନ ଉଠୁଛି—ସାଗରମୁଣ୍ଡା ସାଗରର ଦୀର୍ଘ ବର୍ଷର ତପସ୍ୟା କେବେ ସାର୍ଥକ ହେବ? ନବରଙ୍ଗପୁରର ଏହି ଅମୂଲ୍ୟ ଐତିହ୍ୟକୁ ସଂରକ୍ଷଣ କରି ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଦିଗରେ ସରକାରଙ୍କ ଦୃଷ୍ଟି ପଡ଼ିବ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରୁଛନ୍ତି।




— ଶେଖର ଖୁରା, ନବରଙ୍ଗପୁର