Hot Posts

6/recent/ticker-posts

ଆରମ୍ଭ ହେଲା କେସିଙ୍ଗା-ଟିଟିଲାଗଡ଼ ରାସ୍ତା ମରାମତି କାମ ସାମ୍ବାଦିକ ମହାସଂଘକୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଅଧିକାରୀ

କଳାହାଣ୍ଡି, ୦୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଦୀର୍ଘଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା କେସିଙ୍ଗା-ଟିଟିଲାଗଡ଼ ରାସ୍ତାର ମରାମତି କାମ ଶେଷରେ ଆରମ୍ଭ ହୋଇଛି। କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ରାସ୍ତାର ଦୁରବସ୍ଥା ନେଇ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ ପରେ ଚେତିଛି ପୂର୍ତ୍ତ ବିଭାଗ। ଅଭିଯୋଗ ପରେ ଅଧିକାରୀମାନେ ଶୀଘ୍ର ରାସ୍ତା ମରାମତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଉ ପ୍ରତିଶ୍ରୁତିର ଦିନକ ପରେ, ବୁଧବାର ୨୯ ତାରିଖରେ ଜେସିବି ମେସିନ୍‌ ଲଗାଇ ରାସ୍ତା ସଫା କରିବା ସହ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଛି। ସୂଚନା ଅନୁସାରେ, ରାସ୍ତାଟି କଳାହାଣ୍ଡି ଜିଲ୍ଲାରେ ଅବସ୍ଥିତ ହୋଇଥିଲେ ମଧ୍ୟ ସରକାରୀ ରେକର୍ଡ ଅନୁଯାୟୀ ଏହା କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ କେସିଙ୍ଗା ଥାନା ଅଧିକାରୀ ଘଟଣାର ତଦନ୍ତ କରିବା ସହ ସମ୍ପୃକ୍ତ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ। ଏହାପରେ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗର ଅଧିକାରୀମାନେ ଖୁବ୍‌ଶୀଘ୍ର ରାସ୍ତାର ମରାମତି କାର୍ଯ୍ୟ କରି ଏହାକୁ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଏନେଇ ଥାନା ଅଧିକାରୀ କେସିଙ୍ଗା ସାମ୍ବାଦିକ ମହାସଂଘକୁ ଅବଗତ କରାଇଥିଲେ। ଶେଷରେ ରାସ୍ତା ମରାମତି କାମ ଆରମ୍ଭ ହୋଇଥିବାରୁ କେସିଙ୍ଗା ଅଞ୍ଚଳରେ ସାମ୍ବାଦିକ ମହାସଂଘର ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି।



କଳାହାଣ୍ଡି ଜିଲ୍ଲାରୁ ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।