Hot Posts

6/recent/ticker-posts

ସମୁଦ୍ର କୂଳରୁ ବେଆଇନ ବାଲି ଚୋରାଚାଲାଣ - ପ୍ରଶାସନ ସାଜିଛି ନିଦାବିଷ୍ଣୁ, କେବେ ହେବ କାର୍ଯ୍ୟାନୁଷ୍ଠାନ l

ବାଲେଶ୍ୱର, ୨୩/୦୭ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅଞ୍ଚଳରେ ସୁବର୍ଣ୍ଣ ରେଖା ନଦୀ ବାଲି ନିୟମିତ ଚୋରା ବାଲି ଚାଲାଣ ହେଉଥିବା ବେଳେ ଏବେ ସମୁଦ୍ର ବାଲି ଚୋରାଚାଲାଣକୁ ନେଇ ବଢ଼ୁଛି ଚର୍ଚ୍ଚା। ଅଭିଯୋଗ ହେଉଛି, ବାଳିଆପାଳ ବ୍ଲକ ବଙ୍ଗୋପ ସାଗର ଅଞ୍ଚଳ ସମୁଦ୍ର କୂଳରୁ ପ୍ରତିଦିନ ଟ୍ରାକ୍ଟର ଯୋଗେ ଖୁଲମ ଖୋଲା ଚାଲିଛି ବେଆଇନ ବାଲି ପରିବହନ। ମାନ୍ଧାତା ବଜାର ମୁଖ୍ୟ ରାସ୍ତା ଏବଂ ଡଗରା, କଷାଫଳ, କାଳିପଦା,କାଉମାରୀ ସମେତ ବିଭିନ୍ନ ଅଞ୍ଚଳ ଦେଇ ଦୈନିକ ଯାତାୟାତ କରୁଛି ବାଲି ବୋଝେଇ ଟ୍ରାକ୍ଟର। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ଦିନ ଦ୍ୱିପ୍ରହରରେ ଏତେ ବଡ଼ ଧରଣର କାରବାର ଚାଲୁଥିବା ବେଳେ ପ୍ରଶାସନ ନୀରବ କାହିଁକି? କାହାର ଛତ୍ରଛାୟାତଳେ ଚାଲିଛି ଏହି ବାଲି ମାଫିଆଙ୍କ ରାଜ? ଖଣି ବିଭାଗ, ରାଜସ୍ୱ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନର ଭୂମିକାକୁ ନେଇ ମଧ୍ୟ ଉଠୁଛି ପ୍ରଶ୍ନ। ପରିବେଶବିତଙ୍କ ମତରେ ସମୁଦ୍ର କୂଳରୁ ଅନିୟନ୍ତ୍ରିତ ବାଲି ଉତ୍ତୋଳନ ଭବିଷ୍ୟତରେ ସମୁଦ୍ର ତଟ କ୍ଷୟ ଓ ପରିବେଶ ସନ୍ତୁଳନ ନଷ୍ଟ କରିପାରେ ବୋଲି କୁହାଯାଇଛି । ତଥାପି ଯଦି ଏହି କାରବାର ବନ୍ଦ ନ ହୁଏ ଆଗାମୀ ଦିନରେ ସ୍ଥିତି ଆହୁରି ସଙ୍କଟା ପୂର୍ଣ୍ଣ ହୋଇପାରେ। ସ୍ଥାନୀୟ ଅଞ୍ଚଳର ଚାରୁ ଚନ୍ଦ୍ର ଦେ, ଗଗନ ବିହାରୀ ବାରିକ, ସୁଧାକୃଷ୍ଣ ଦାସ, ହେମନ୍ତ କୁମାର ପାତ୍ର, ମୃତ୍ୟୁଞ୍ଜୟ ପ୍ରସାଦ ନାୟକ, କ୍ଷମା ସାଗର ଦାସ, ପରମାନନ୍ଦ ବେହେରା, ପ୍ରସନ୍ନ କୁମାର ମୁଦୁଲି, ଗୁଣାକର ସେଠୀ, ଲଷ୍ମଣ କୁମାର ଟୁଡୁ ପ୍ରମୁଖ ତୁରନ୍ତ ଘଟଣାର ତଦନ୍ତ କରାଯାଇ ବେଆଇନ ବାଲି ଚୋରାଚାଲାଣରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି।ତେବେ ବାଲିଆପାଳ ତହସିଲଦାର ତଦନ୍ତ କରି ଦେଖିବେ ବୋଲି ପ୍ରକାଶ କରିଛନ୍ତି।



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l