ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ରାମକୃଷ୍ଣ ଦାସଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ
ବିଞ୍ଝାରପୁର, ୨୩/୦୭ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ରାମକୃଷ୍ଣ ଦାସଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଅପୂରଣୀୟ ଶୂନ୍ୟତାକୁ ସ୍ମରଣ କରି ବିଞ୍ଝାରପୁର ସାମ୍ବାଦିକ ୟୁନିଅନ୍ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ଏକ ଗମ୍ଭୀର ଓ ଭାବପ୍ରବଣ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି। ୟୁନିଅନ୍ର ସଭାପତି ସେକ୍ ସନୱରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ୟୁନିଅନ୍ର ଉପଦେଷ୍ଟା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଦସ୍ୟ ନନ୍ଦ କିଶୋର ସାମଲ ଏବଂ ବିଶିଷ୍ଟ ସମାଜସେବୀ ତଥା ଯୁବ ବିଜେଡି ସଭାପତି ଦିଲ୍ଲୀପ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ରାମକୃଷ୍ଣ ଦାସଙ୍କ ନିଷ୍ଠାପର ସାମ୍ବାଦିକତା, କର୍ମପ୍ରତି ସମର୍ପଣ ଏବଂ ସମାଜ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ଶିକ୍ଷାବିତ୍ ଅକ୍ଷୟ କୁମାର ନାୟକ ସଭା ପରିଚାଳନା କରିଥିବାବେଳେ ପୂର୍ବତନ ସଭାପତି ଦେବ ପ୍ରସାଦ ସାହୁ, ସାଧାରଣ ସମ୍ପାଦକ ଗୁଲସନ ନୱାଜ ଅଲି ଖାଁ, ବରିଷ୍ଠ ସଦସ୍ୟ ସୀତାକାନ୍ତ ସାମଲ, ଅନଙ୍ଗ ଉଦୟ ବେଉରିଆ, ଅକ୍ଷୟ କୁମାର ନାୟକ, ସତ୍ୟରଞ୍ଜନ ମଲ୍ଲିକ, ସୁରେନ୍ଦ୍ର ସାମଲ, ବିଶ୍ୱଜିତ ନାୟକ, ଶଙ୍କର୍ଷଣ ସାମଲ, ପ୍ରଦୀପ କୁମାର ମଲ୍ଲିକ ଏବଂ ନିମାଇ ଘଡ଼ାଇ ପ୍ରମୁଖ ଉପସ୍ଥିତ ଥିଲେ।ସଭା ଆରମ୍ଭରେ ସ୍ୱର୍ଗତ ରାମକୃଷ୍ଣ ଦାସଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଉପସ୍ଥିତ ସମସ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ। ପରବର୍ତ୍ତୀ ଆଲୋଚନାରେ ବକ୍ତାମାନେ କହିଥିଲେ ଯେ, ସ୍ୱର୍ଗତ ରାମକୃଷ୍ଣ ଦାସଙ୍କ ପରଲୋକ ବିଞ୍ଝାରପୁରର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଜଣେ ନିଷ୍ଠାବାନ, ସତ୍ୟନିଷ୍ଠ ଓ କର୍ମଠ ସାମ୍ବାଦିକ ଭାବେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସମାଜର ବିଭିନ୍ନ ପ୍ରସଙ୍ଗକୁ ନିର୍ଭୀକ ଭାବେ ଉପସ୍ଥାପନ କରିବା ସହ ଲୋକହିତ ପ୍ରତି ତାଙ୍କର ଅଙ୍ଗୀକାର ସଦା ସର୍ବଦା ପ୍ରେରଣାଦାୟକ ହୋଇ ରହିବ। ତାଙ୍କର ନିଷ୍ଠା, କର୍ମଦକ୍ଷତା, ସତ୍ୟନିଷ୍ଠ ସାମ୍ବାଦିକତା ଏବଂ ସମାଜ ପ୍ରତି ଅବଦାନ ଆଗାମୀ ପିଢ଼ିର ସାମ୍ବାଦିକମାନଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।