ନୂଆପଡ଼ାରେ ICDSର ଜିଲ୍ଲାସ୍ତରୀୟ ସମୀକ୍ଷା : ଆଧାର ଯାଞ୍ଚରେ ଶତପ୍ରତିଶତ ସଫଳତା, ଆଙ୍ଗନବାଡ଼ି କେନ୍ଦ୍ର ପାଇଁ ଜମି ଚିହ୍ନଟ ଓ ଖାଲି ପଦବୀ ପୂରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ନୂଆପଡ଼ା, ୨୨/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS)ର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଆଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଉପଯୁକ୍ତ ହସ୍ତାନ୍ତରଯୋଗ୍ୟ ସରକାରୀ ଜମି ଚିହ୍ନଟ କରିବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜମିଜମା ବିବାଦମୁକ୍ତ ଆଙ୍ଗନବାଡ଼ି କେନ୍ଦ୍ର ସୁନିଶ୍ଚିତ କରିବା, ଖାଲି ପଡ଼ିଥିବା ସୁପରଭାଇଜର ଓ ଅନ୍ୟାନ୍ୟ ପଦବୀ ଶୀଘ୍ର ପୂରଣ କରିବା ସହ କ୍ଷେତ୍ରସ୍ତରରେ ନିୟମିତ ପରିଦର୍ଶନକୁ ଗୁରୁତ୍ୱ ଦେବାକୁ କହିଥିଲେ। ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଜିଲ୍ଲାର ୭୬,୦୨୬ ଜଣ ICDS ହିତାଧିକାରୀଙ୍କ ଆଧାର ଯାଞ୍ଚ ଶତପ୍ରତିଶତ ସମ୍ପୂର୍ଣ୍ଣ ହୋଇଥିବାବେଳେ, ସକ୍ରିୟ ଶିଶୁମାନଙ୍କ ମଧ୍ୟରୁ ୯୯.୯୩ ପ୍ରତିଶତଙ୍କ ଉଚ୍ଚତା ଓ ଓଜନ ମାପ କାର୍ଯ୍ୟ ସମ୍ପନ୍ନ ହୋଇଛି। ସମସ୍ତ ୧,୪୦୮ଟି ଆଙ୍ଗନବାଡ଼ି କେନ୍ଦ୍ରରେ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ (CBE) ଶତପ୍ରତିଶତ ଅନୁଷ୍ଠିତ ହୋଇଥିବାବେଳେ, ଜୁନ୍ ମାସରେ ଫେସ୍ ରିକଗ୍ନିସନ୍ ସିଷ୍ଟମ୍ ମାଧ୍ୟମରେ ୯୦.୬୮ ପ୍ରତିଶତ ଟେକ୍ ହୋମ୍ ରାସନ୍ (THR) ବଣ୍ଟନ କରାଯାଇଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଜିଲ୍ଲାର ୧,୪୦୮ଟି ଆଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୧,୧୮୭ଟି ନିଜସ୍ୱ ଭବନରେ କାର୍ଯ୍ୟ କରୁଥିବାବେଳେ ୮୦ଟି ଭବନ ନିର୍ମାଣାଧୀନ ରହିଛି। କର୍ମଚାରୀ ପଦସ୍ଥିତି ସମୀକ୍ଷାରେ ୨୭ଟି ସୁପରଭାଇଜର, ୧୪ଟି ଆଙ୍ଗନବାଡ଼ି କର୍ମୀ ଓ ୧୨ଟି ସହାୟିକା ପଦ ଖାଲି ଥିବା ସୂଚନା ଉପସ୍ଥାପନ କରାଯାଇଥିଲା। CDPO ଓ ସୁପରଭାଇଜରମାନଙ୍କ କ୍ଷେତ୍ର ପରିଦର୍ଶନ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା। ନିୟମିତ ଭାବେ ଶତପ୍ରତିଶତ ଆଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ ସୁନିଶ୍ଚିତ କରିବା ସହ ଏହାର ଗୁଣାତ୍ମକ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ସହକାରୀ ପରିସଂଖ୍ୟାନ ନିର୍ଦ୍ଦେଶିକା ସାଗରିକା ମୁଦୁଲି ଯୋଗଦେଇଥିଲେ। ତାଙ୍କୁ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହେଉଥିବା ‘ଶାଶୁ–ବୋହୂ ମେଳି’, ‘ସ୍ୱାମୀ–ସ୍ତ୍ରୀ ମେଳି’, ‘ଝିଅ ପାଇଁ ଗଛଟିଏ’ ଓ ‘ଗର୍ଭବତୀ ମହିଳାଙ୍କ ପାଇଁ ଦିନଟିଏ’ ପରି ଅଭିନବ ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା। ଶିଶୁ ଲିଙ୍ଗାନୁପାତରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଥିବା ସୂଚନା ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ଅବସର ଗ୍ରହଣ କରିବାକୁ ଯାଉଥିବା ICDS ସୁପରଭାଇଜର ବିଳାସିନୀ ଯୋଶୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରୁଥିବା ICDS ସୁପରଭାଇଜର ମାନଙ୍କୁ ସମ୍ମାନିତ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ସୂର୍ମି ସୋରେନ, ଭାରପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁପ୍ରିୟା ପ୍ରିୟଦର୍ଶିନୀ, ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ICDS ସୁପରଭାଇଜର ଏବଂ ଅନ୍ୟାନ୍ୟ ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।