ନିଶାମୁକ୍ତ ସମାଜ ଗଠନ ପାଇଁ ସିନାପାଲି ପୁଲିସର ଶପଥ, ଯୁବପିଢ଼ିଙ୍କୁ ଦେଲା ସଚେତନତାର ବାର୍ତ୍ତା
ନୂଆପଡ଼ା, ୦୧/୦୭ ( ପରମେଶ୍ୱର ମେହେର ) : ନିଶାମୁକ୍ତ ସମାଜ ଗଠନ ଦିଗରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ପକ୍ଷରୁ ଏକ ନିଶା ବିରୋଧୀ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସିନାପାଲି ଥାନାର ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ନିଶାଦ୍ରବ୍ୟ ସେବନ ଓ ବେଆଇନ କାରବାର ବିରୋଧରେ ଶପଥ ପାଠ କରିଥିଲେ ଶପଥ ଗ୍ରହଣ ଅବସରରେ ପୁଲିସ କର୍ମକର୍ତ୍ତାମାନେ ନିଶାର କୁପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା, ଯୁବପିଢ଼ିଙ୍କୁ ନିଶା କବଳରୁ ରକ୍ଷା କରିବା, ସମାଜରେ ନିଶାଦ୍ରବ୍ୟର ପ୍ରସାର ରୋକିବା ଏବଂ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ପରିବେଶ ସୃଷ୍ଟି ପାଇଁ ନିଜ ନିଜ ସ୍ତରରେ ସକ୍ରିୟ ଭୂମିକା ନିଭାଇବାକୁ ସଂକଳ୍ପ ନେଇଥିଲେ। ଏହି ଅବସରରେ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ, ନିଶା କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ବରଂ ପରିବାର ଓ ସମଗ୍ର ସମାଜକୁ ପ୍ରଭାବିତ କରିଥାଏ। ନିଶା ଯୋଗୁଁ ଅନେକ ସାମାଜିକ ଅପରାଧ, ପାରିବାରିକ ଅଶାନ୍ତି ଓ ଯୁବପିଢ଼ିଙ୍କ ଭବିଷ୍ୟତ ବିପଦରେ ପଡ଼ୁଛି।ତେଣୁ ନିଶା ବିରୋଧୀ ଅଭିଯାନକୁ କେବଳ ପୁଲିସର ଦାୟିତ୍ୱ ଭାବେ ନ ଦେଖି ସମସ୍ତଙ୍କ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା। ପୁଲିସ ପ୍ରଶାସନ ସୂଚନା ଦେଇଛି ଯେ, ଆଗାମୀ ଦିନରେ ସ୍କୁଲ, କଲେଜ, ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ଜନସମାଗମ ସ୍ଥାନରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ, ଶପଥ ପାଠ, ସଚେତନତା ରାଲି ଓ ଆଲୋଚନା ସଭା ଆୟୋଜନ କରାଯିବ। ଏହା ସହିତ ନିଶାଦ୍ରବ୍ୟର ବେଆଇନ କାରବାର ବିରୋଧରେ କଡ଼ା ନଜର ରଖାଯିବ ଏବଂ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିଶାମୁକ୍ତ ସମାଜ ଗଠନ ପାଇଁ ସାଧାରଣ ଲୋକଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ପୁଲିସ କହିଛି। ଏହି ଶପଥ କାର୍ଯ୍ୟକ୍ରମ ମାଧ୍ୟମରେ ନିଶା ବିରୋଧରେ ଏକ ସକାରାତ୍ମକ ବାର୍ତ୍ତା ସମାଜରେ ପହଞ୍ଚାଇବା ସହ ସମସ୍ତଙ୍କୁ ନିଶାମୁକ୍ତ ଜୀବନଶୈଳୀ ଆପଣାଇବା ପାଇଁ ଆହ୍ୱାନ କରାଯାଇଥିଲା। ସମ୍ପ୍ରତି ନୂଆପଡ଼ା ଜିଲ୍ଲାରେ ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଜୋରଦାର ଭାବେ ଚାଲିଥିବା ବେଳେ ସିନାପାଲି ଥାନାର ଏହି ପଦକ୍ଷେପକୁ ସାଧାରଣ ଲୋକ ପ୍ରଶଂସା କରିଛନ୍ତି।