Hot Posts

6/recent/ticker-posts

ପଣ୍ତିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ।

 ପଣ୍ତିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ।


   

 
ଅଧ୍ୟାପକ ବିଶ୍ୱରଞ୍ଜନ ଦାସ 


ଶିକ୍ଷା ହିଁ ସମାଜ ପରିବର୍ତ୍ତନର ପ୍ରଧାନ ଶକ୍ତି। ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଆଗାମୀ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାତା। ଯେତେବେଳେ ଆମ ରାଜ୍ୟର କୁନିକୁନି ପାଦ ଆଗକୁ ବଢ଼ିବ, ସେତେବେଳେ ହିଁ ସାକାର ହେବ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶାର ସ୍ୱପ୍ନ। ରାଜ୍ୟର ପ୍ରାଥମିକ ଶିକ୍ଷା ଭିତ୍ତଭୂମିକୁ ସୁଦୃଢ଼ ଓ ଗୁଣାତ୍ମକ କରିବା ପାଇଁ ସତ୍ୟବାଦୀ ବକୁଳ ବନବିଦ୍ୟାଳୟର ପବିତ୍ର ଶିକ୍ଷାଦର୍ଶ ଅନୁସାରେ ରାଜ୍ୟ ସରକାରଙ୍କର ମହତ୍ୱାକାଂକ୍ଷୀ ପଦକ୍ଷେପ ହେଉଛି - ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ପିଲା ମାନଙ୍କ ଶିକ୍ଷାର ମୂଳଦୁଆକୁ ସୁରକ୍ଷିତ କରିବା ହିଁ ଏହି ଯୋଜନାର ମୂଳ ଲକ୍ଷ୍ୟ।
ଏହାଥିଲା ତା ୦୮/୦୬/୨୦୨୬ରିଖରେ ୨୦୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ମାନନୀୟ ଲୋକଙ୍କ ସରକାରଙ୍କର ମତ ଓ ମନ୍ତବ୍ୟ। ମାତ୍ର ଗୋଟିଏ ସପ୍ତାହ ପରେ ତା ୧୬/୦୬/୨୦୨୬ରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରକାଶିତ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଥିବା ବିଷୟ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା। ରାଜ୍ୟର ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା, ଅଭିଭାବକ ସଙ୍ଘ, ଶିକ୍ଷକ ସଂଘ, ଛାତ୍ର ସଙ୍ଗଠନ ପ୍ରତ୍ୟେକ ଶ୍ରେଣୀର ଜନତା ଏଥିରେ ମ୍ରିୟମାଣ ହେଲେ ଏବଂ କ୍ଷୋଭ ପ୍ରକାଶ କଲେ। ତତକ୍ଷଣାତ୍ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଲେ - ସମସ୍ୟା ବାବଦରେ ବିଭାଗ ଅବଗତ ଅଛି ଏବଂ ଆମ୍ଭେ ଚିହ୍ନିତ ତ୍ରୁଟି ସଂଶୋଧନ ପାଇଁ ଶିକ୍ଷକ ମାନଙ୍କୁ ଦାୟିତ୍ୱ ଦେଇଛୁ। ମନ୍ତ୍ରୀ ମହୋଦୟଙ୍କର ମନ୍ତବ୍ୟ ସମାଜରେ ସରାକରଙ୍କ ପ୍ରତି ଅହେତୁକ ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି କଲା। ଏଣୁ ତା ୧୭/୦୬/୨୦୨୬ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେଲା। ବୈଠକରେ ନିଷ୍ପତ୍ତି ମୁତାବକ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗୋଟିଏ ତଦନ୍ତ କମିଟି ଗଠନ ହୋଇ ୭ଦିନ ମଧ୍ୟରେ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି ସମ୍ବନ୍ଧୀୟ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ । କିନ୍ତୁ ତା ୧୮/୦୬/୨୦୨୬ ରିଖରେ ଏସ.ସି. ଇ.ଆର.ଟି. ର ନିର୍ଦ୍ଦେଶିକା ଗଣମାଧ୍ୟମ ଜରିଆରେ ମନ୍ତବ୍ୟ ଦେଲେ ଯାହାକି ଦୁଇ ଦିନ ପୂର୍ବେ ମାନନୀୟ ଗଣଶିକ୍ଷା ମନ୍ତ୍ରୀଙ୍କର ଗଣମାଧ୍ୟମକୁ ପ୍ରତିକ୍ରିୟା ଥିଲା। ତେବେ ସାରକଥା - ବହୁ ଆଡମ୍ବରରେ ଲଘୁକ୍ରିୟା । ସୂଚନାନୁଯାୟୀ ଓଡିଶାରେ ଭାଜପା ସରକାର ଗଠନ ଦିନଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାରେ ଏକାଧିକ କମିଟି ଗଠନ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କମିଟିର ରିପୋର୍ଟ ଆସିନାହିଁ। ତେଣୁ ପ୍ରାଥମିକ ଶିକ୍ଷାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ବଦ୍ଧରେ ଗଠିତ କମିଟିର ତଦନ୍ତ ରିପୋର୍ଟ ମଧ୍ଯ ଏକ ପ୍ରଶ୍ନବାଚୀ ? 
ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା ଭୁବନେଶ୍ବର ଏବଂ ଓଡ଼ିଶା ରାଜ୍ଯ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଭୁବନେଶ୍ବର ଦ୍ଵାରା ପ୍ରସ୍ତୁତ, ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ଓଡ଼ିଶା ଭୁବନେଶ୍ବର ଦ୍ଵାରା ମୁଦ୍ରିତ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ୧ମ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟତଃ ୫୫ଟି ପାଠ୍ୟ ପୁସ୍ତକ l 
ଅତଏବ ପୁସ୍ତକ ପ୍ରସ୍ତୁତ ହୋଇ ବିଦ୍ୟାଳୟରେ ପହଞ୍ଚିବ ପର୍ଯ୍ୟନ୍ତ ନୂତନ ଭାବରେ ଜଡ଼ିତ ହୋଇଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ଯକ୍ରମ ପ୍ରାଧିକରଣ ଭୁବନେଶ୍ବରକୁ ମିଶାଇ ସମୁଦାୟ ୬ଟି ସଂସ୍ଥା ଜଡ଼ିତ । 
ଗୋଟିଏ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ସଂପାଦକ ମଣ୍ଡଳୀରେ ଅତି କମରେ ୪ଜଣ, ସମୀକ୍ଷକ ମଣ୍ଡଳୀରେ ଅତି କମରେ ୩ଜଣ, ସଂଯୋଜନା ମଣ୍ଡଳୀରେ ଅତି କମରେ ୩ଜଣ, ସମୁଦାୟ ୧୦ଜଣ ବିଶେଷଜ୍ଞ ରହିଛନ୍ତି । ସେହି କ୍ରମରେ ୫୫ଟି ପାଠ୍ୟପୁସ୍ତକ ପ୍ରସ୍ତୁତ ପାଇଁ ୫୫୦ଜଣ ବିଶେଷଜ୍ଞ ନିଯୁକ୍ତ ହୋଇଛନ୍ତି।
ତେବେ ଏତେ ସଂଖ୍ୟାରେ ବିଶେଷଜ୍ଞ ଓ ରାଜ୍ୟ ସରକାରଙ୍କ ୬ଟି ସଂସ୍ଥାର ପ୍ରାଶାସନିକ ଅଧିକାରୀ ଜଡ଼ିତ ହେବା ପରେ ୧୬୭୮ଟି ତଥ୍ୟ ଭିତ୍ତିକ, ଐତିହାସିକ, ଭୌଗଳିକ, ଏବଂ ବନାନଗତ ତ୍ରୁଟି ହେଲା କିପରି ? ଉକ୍ତ ଅକ୍ଷମଣୀୟ ଅପରାଧ ପାଇଁ ରାଜ୍ୟବାସୀଙ୍କ ସମ୍ମୁଖରେ କିଏ ଉତ୍ତରଦାୟୀ?
ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ସାରା ଦେଶରେ ଗୋଟିଏ ପାଠ୍ୟକ୍ରମ ଅନୁସୃତ ହେବ । ଏହାର ଅର୍ଥ ନୁହେଁ ପ୍ରତ୍ୟେକ ରାଜ୍ୟରେ ସମାନ ପ୍ରକାର ପାଠ୍ୟ ପୁସ୍ତକ ପ୍ରଣୟନ ହେବ। ଯଦି ଆମ ରାଜ୍ୟର ପ୍ରାଥମିକ ଶିକ୍ଷା ସହ ଜଡ଼ିତ ଉପୋରୋକ୍ତ ଆଲୋଚ୍ୟ ୬ଟି ସଂସ୍ଥାର ନିଷ୍ପତି କ୍ରମେ ଏନ୍. ସି. ଇ .ଆର୍. ଟି ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ତାଲିମ୍ ପରିଷଦର ପାଠ୍ୟ ପୁସ୍ତକ କୁ କୃତିମ ବୁଦ୍ଧିମତ୍ତା ଦ୍ୱାରା ଅନୁବାଦ କରିବାର ଥିଲା, ତେବେ ଏତେ ସଂଖ୍ୟକ ବିଷୟ ବିଶେଷଜ୍ଞ ଙ୍କୁ ନିୟୋଜିତ କରି ରାଜ୍ୟ ରାଜ କୋଷରୁ କୋଟି କୋଟି ଟଙ୍କା ବ୍ୟୟ କରାଗଲା କାହିଁକି? ଯଦି ବା ସରକାର ପାଠ୍ୟ ପୁସ୍ତକର ଗୁଣବତ୍ତା ପାଇଁ ଶହ ଶହ ବିଶେଷଜ୍ଞ ଙ୍କୁ ନିୟୋଜିତ କଲେ ପାଠ୍ୟ ପୁସ୍ତକର ୧୬ ୭୮ ଟି ତ୍ରୁଟି ବାହାରିଲା କାହିଁକି? ଏଥିପାଇଁ ଦାୟୀ କିଏ? ପ୍ରାଥମିକ ଶିକ୍ଷାର ଶିକ୍ଷକ ଶିକ୍ଷାୟତନ ପାଠ୍ୟ ପୁସ୍ତକ ଏବଂ ସହପାଠୀ ସୁଦୀର୍ଘ ଜୀବନ ପଥର ପ୍ରେରଣା। ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କର ପ୍ରତିଟି କଥା ଏବଂ ପାଠ୍ୟ ପୁସ୍ତକର ପ୍ରତିଟି ଶବ୍ଦ ଜୀବନର ପ୍ରତ୍ୟେକ ମୁହର୍ତ୍ତରେ ପଥ ପ୍ରଦର୍ଶକ ଏବଂ ଅଭୁଲା। ପ୍ରାଥମିକ ଶିକ୍ଷକଙ୍କର ଚରଣ ସ୍ପର୍ଷ ପ୍ରତ୍ୟେକ ଛାତ୍ରର ଶରୀରରେ ସୃଷ୍ଟିକରେ ସମ୍ମାନ ଏବଂ ଭକ୍ତିର ଶିହରଣ। ପ୍ରାଥମିକ ଶ୍ରେଣୀର ଅନେକ ବିଷୟ ମୁଖସ୍ଥ ଏବଂ ଗର୍ଭସ୍ଥ ଯଥା ମାଙ୍କଡ଼ ଖାଏ କାଙ୍କଡ଼ କଷି......., ରାଧୁଆ ମିଛୁଆ , ତୁମ ପରି ଛୋଟ ପିଲାଟିଏ......, ରହ ଆରେ କାଠୁରିଆ...., କାତ ଧରି ଧୀରେ ନାଉରି..... ଇତ୍ୟାଦି। ପ୍ରାଥମିକ ଶ୍ରେଣୀରେ ଶିକ୍ଷକଙ୍କ ବେତ ପାହାର ଏବଂ ଉପଦେଶ ଜୀବନର ଦିଗ ବାରେଣୀ। ପାଠ୍ୟ ପୁସ୍ତକର ମଲାଟର ରଙ୍ଗ ବେରଙ୍ଗ ଚିତ୍ର, ନୂଆ ବହିର ବାସ୍ନା, ସୁନ୍ଦର ଅକ୍ଷର ସଜା ଶିକ୍ଷା ବର୍ଷ ଆରମ୍ଭରେ ପାଠ ପଢ଼ିବା ପାଇଁ ଚପଳ ହୃଦୟରେ ସୃଷ୍ଟିକରେ ଅଫୁରନ୍ତ ଆନନ୍ଦ। ବେଳେ ବେଳେ ପାଠକୁ ନେଇ ଶିକ୍ଷକଙ୍କ ସହିତ ବାକ୍ ବିତଣ୍ଡାରେ ପାଠ୍ୟ ପୁସ୍ତକର ଲେଖାହିଁ ସମସ୍ୟା ସମାଧାନର ଏକମାତ୍ର ପନ୍ଥା ହୋଇଥାଏ। ତେବେ ଶୈକ୍ଷିକ ଜୀବନରେ ସବୁଠାରୁ ଅଧିକ ଗୁରୁତ୍ଵ ବହନ କରୁଥିବା ସୋପାନରେ ପାଠ୍ୟ ପୁସ୍ତକରେ ତୃଟି ଅକ୍ଷମଣୀୟ ଏବଂ ଏଥିରେ ସୁଧାର ନ ଆଣି ଏହାକୁ ଜୋର୍ ଜବରଦସ୍ତ ଲାଗୁ କରିବା ରାଜ୍ଯ ସରକାରଙ୍କର ଦାୟିତ୍ଵ ହୀନତା ଏବଂ ରାଜ୍ଯପ୍ରତି ଚରମ ଅବହେଳା। ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ନ୍ୟାୟରେ କ୍ଷମତାନ୍ଧ ସରକାରର ଏତାଦୃଶ୍ୟ କାର୍ଯ୍ୟ ଜନମାନସରେ ଗ୍ରହଣୀୟ ନୁହେଁ। 
ପରିଶେଷରେ ଲୋକଙ୍କ ସରକାରରେ ଲୋକଙ୍କ ମୁଖୟମନ୍ତ୍ରୀଙ୍କୁ ଅନୁରୋଧ - ରାଜ୍ୟର ଗରିବ ,ଖଟିଖିଆ, ମୂଲିଆର ପିଲାକୁ ସରକାରୀ ବିଦ୍ୟଳୟରେ ଉପଯୁକ୍ତ ଶିକ୍ଷା ପ୍ରଦାନ ପାଇଁ ତୁରନ୍ତ ନିର୍ଭୂଲ୍ ପାଠ୍ୟ ପୁସ୍ତକର ବନ୍ଦୋବସ୍ତ କରି ଓଡିଶା ଶିକ୍ଷା ଇତିହାସରେ ସୃଷ୍ଟି ହୋଇଥିବା କଳଙ୍କିତ ଅଧ୍ୟାୟର ଅନ୍ତ କରନ୍ତୁ।      
                  ଜୟଦେବ ବିହାର 
                      ଭୁବନେଶ୍ବର
  ମୋବାଇଲ - ୮୯୧୭୬୮୨୮୧୩