ଦୁଇ ମାସରେ ଦବିଲା PMGSY ରାସ୍ତା, ବ୍ରିଜ ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ
ଝରୀଗାଁ, ୨୬/୦୬ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଝରିଗୁଡ଼ା ଛକରୁ ଟୁଟିଗୁଡ଼ାକୁ ରାଜ୍ୟ ରାଜପଥ–୩୯ ସହ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା (PMGSY) ଅଧୀନରେ ନିର୍ମିତ ପିଚୁ ରାସ୍ତା ଏବଂ ଝରିଗୁଡ଼ା–ନାଗଯୋଡି ମଧ୍ୟରେ ନିର୍ମାଣ ହୋଇଥିବା ଛୋଟ ବ୍ରିଜର ଗୁଣବତ୍ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ମାତ୍ର ଦୁଇ ମାସ ପୂର୍ବରୁ ନିର୍ମାଣ କାମ ଶେଷ ହୋଇଥିବା ଏହି ରାସ୍ତା ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଦବିବା ଆରମ୍ଭ କରିଛି। ରାସ୍ତାରେ ପକାଯାଇଥିବା ପିଚୁ ଓ ଚିପ୍ସ ଠିକ୍ ଭାବେ ବସିନଥିବାରୁ ଅନେକ ସ୍ଥାନରେ ତାହା ଖସିପଡ଼ୁଥିବା ଦେଖିବାକୁ ମିଳୁଛି। ପ୍ରତିଦିନ ଶତାଧିକ ଯାନବାହନ ଚଳାଚଳ କରୁଥିବାରୁ ରାସ୍ତାର ଅବସ୍ଥା ଦିନକୁ ଦିନ ଅଧିକ ଖରାପ ହେଉଥିବା ବୋଲି ଗ୍ରାମବାସୀ କହିଛନ୍ତି। ସେହିପରି, ଝରିଗୁଡ଼ା–ନାଗଯୋଡି ମଧ୍ୟରେ ନିର୍ମିତ ଛୋଟ ବ୍ରିଜର ଉଭୟ ପାର୍ଶ୍ୱରେ ସାମାନ୍ୟ ବର୍ଷାରେ ମାଟି ଧୋଇଯାଇ ରାସ୍ତା ଦବିଯାଉଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି। ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଲଗାତାର ବର୍ଷା ଯୋଗୁଁ କେତେକ ସ୍ଥାନରେ ମାଟି ତଳକୁ ଖସିଯାଇଥିବାରୁ ରାସ୍ତା ଦବିଯାଇଛି। ତେବେ ଅଞ୍ଚଳବାସୀଙ୍କ ମତରେ ବିଭାଗୀୟ ଅବହେଳା ଓ ନିର୍ମାଣ କାର୍ଯ୍ୟର ତଦାରଖର ଅଭାବ ଯୋଗୁଁ ଏତେ କମ୍ ସମୟ ମଧ୍ୟରେ ରାସ୍ତାର ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପାଗ ସୁଧୁରିବା ପରେ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକର ମରାମତି କାମ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ପନକା, ନବ କଲାର, ଚତୁର ପୂଜାରୀ, ବୈର ପୂଜାରୀ, ସାରେଙ୍ଗ ପନକା, ଗଦ୍ରୁ ଭତ୍ରା ଓ ସିଗ୍ରାମ ମାଝୀଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଘଟଣାର ନିରପେକ୍ଷ ତଦନ୍ତ, ନିର୍ମାଣ କାମର ଗୁଣବତ୍ତା ଯାଞ୍ଚ, ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଏବଂ ରାସ୍ତା ଓ ବ୍ରିଜର ତୁରନ୍ତ ମରାମତି ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି