Hot Posts

6/recent/ticker-posts

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ କ୍ଷେତ ବଚାଓ ଅଭିଯାନ: ଜୈବିକ ସାର ବ୍ୟବହାର ଓ ପାରମ୍ପରିକ ଚାଷକୁ ଗୁରୁତ୍ୱ

ଭଞ୍ଜନଗର, ୨୪/୦୬ ( ଜେ.କେ ପଟ୍ଟନାୟକ ) : ଜୁନ ମାସ ୧ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କ୍ଷେତ ବଚାଓ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି। ଏହି ପରିପ୍ରେକ୍ଷୀରେ କିଭଳି ଚାଷୀମାନେ ନିଜ ଜମିର ଉର୍ବରତା ବୃଦ୍ଧି କରିବା ସହ ଜୈବିକ ସାର ବହୁଳ ବ୍ୟବହାର କରି ପାରମ୍ପରିକ ଚାଷ ପଦ୍ଧତି ଉପରେ ଗୁରୁତ୍ୱ ଦେବାକୁ ଉତ୍ତର ଘୁମୁସର ବନଖଣ୍ଡ ଅଧୀନରେ କାର୍ଯ୍ୟ କରୁଥିବା ସ୍ବେଛାସେବୀ ସଙ୍ଗଠନ ସ୍ଵାତି ପକ୍ଷରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରଥମ ପର୍ଯ୍ୟାୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଶିବିରରେ ମୋଟ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଦ୍ବିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ରୂପେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ସମ୍ମାନିତ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର ବରିଷ୍ଠ ବୈଜ୍ଞାନିକ ସନ୍ତୋଷ କୁମାର ଶତପଥୀ, କଲେଜ ଅଧ୍ୟକ୍ଷ ଡ଼ ଗଗନ ବିହାରୀ ପୁରୋହିତ, ପ୍ରାକ୍ତନ ଅଧ୍ୟାପକ ବି ଗୋବିନ୍ଦ ରାଓ, ସଖୀ'ର ବୈରାଗୀ ପାତ୍ର, ଅଧ୍ୟାପକ ରଜତ କୁମାର ମିଶ୍ର ଓ ସ୍ଵାତି'ର ସମ୍ପାଦକ ହରି ଶଙ୍କର ରାଉତ ମଞ୍ଚରେ ଉପସ୍ଥିତ ଥିଲେ। ବରିଷ୍ଠ ସମାଜସେବୀ ଶୂଳପାଣି ଶତପଥୀ ସଭା ସଂଯୋଜନା କରିଥିଲେ। ବର୍ତ୍ତମାନ ସମୟରେ ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବୃଦ୍ଧି ପାଉଛି। ବର୍ଦ୍ଧିଷ୍ଣୁ ଜନସଂଖ୍ୟା ତୁଳନାରେ ଚାଷ ଜମିର ଅଭାବ ମୁଖ୍ୟ ସମସ୍ୟା ସୃଷ୍ଟି କରିଛି। ତେଣୁ ରାସାୟନିକ ସାର ବ୍ୟବହାର , ହାଇବ୍ରିଡ଼ ଫସଲ ଉତ୍ପାଦନ ଉପରେ ନିର୍ଭର କରି ଲୋକମାନେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି।ଏହାକୁ ରୋକିବା ପାଇଁ ଖାଲି ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ କରିବା ପାଇଁ ଅତିଥିମାନେ କହିଥିଲେ। ଏଥିସହ ସଙ୍ଗଠନର ୨୮ବର୍ଷ ପୂର୍ତ୍ତି ଉତ୍ସବ କେକ୍ କାଟି ପାଳନ କରାଯାଇଛି।ଏଥିରେ ଏକ ଶହ ଭିଏସଏସ ମେମ୍ବର ଉପସ୍ଥିତ ଥିଲେ।