ଟିମନପୁର ଗ୍ରାମୀଣ ବଜାର ପିଣ୍ଡି ନିର୍ମାଣକୁ ନେଇ ବିବାଦ: ସୂଚନା ଫଳକ ନାହିଁ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ସିନାପାଲି, ୨୨/୦୭ ( ପରମେଶ୍ୱର ମେହେର ) : ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମରେ ନିର୍ମାଣାଧୀନ ଗ୍ରାମୀଣ ବଜାର ପିଣ୍ଡି କାର୍ଯ୍ୟକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଥିବା ବଜାର ପିଣ୍ଡି ଉପରେ ବର୍ତ୍ତମାନ ଛାତ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ କାର୍ଯ୍ୟସ୍ଥଳରେ ସୂଚନା ଫଳକ ନଥୁବା, ନିର୍ମାଣର ଗୁଣବତ୍ତାକୁ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏବଂ କାର୍ଯ୍ୟରେ ସ୍ବଚ୍ଛତାର ଅଭାବ ପ୍ରଶ୍ନ ସୃଷ୍ଟି କରିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଜୋର ଧରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରାୟ ୯ ଲକ୍ଷ ୫୬ ହଜାର ଟଙ୍କା ଅଟକଳ ମୂଲ୍ୟରେ ଗ୍ରାମୀଣ ବଜାର ପିଣ୍ଡି ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ। ବରଂ ଅଧାପନ୍ତରିଆ ପିଣ୍ଡିକୁ ଭାଙ୍ଗି ଲୁହା ପାଇପ ପୋତାଯାଇ ତା' ଉପରେ ଆଜବେଷ୍ଟସ ଛାତ ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁସାରେ, ପିଣ୍ଡି ନିର୍ମାଣ ସମୟରେ ନିର୍ଦ୍ଧାରିତ ମାନର ସାମଗ୍ରୀ ବ୍ୟବହାର କରାଯାଇନଥିଲା। ବାଲି ପରିବର୍ତ୍ତେ ପୋଖରୀ ହୁଡ଼ାର ମାଟି ବ୍ୟବହାରକରାଯାଇଥିବାରୁ ଏହାର ସ୍ଥାୟୀତ୍ବକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଲଗାଣ ବର୍ଷାରେ ପିଣ୍ଡିର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହେଉଥିବା ମଧ୍ୟ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଏହାଛଡ଼ା ଛାତ ନିର୍ମାଣ କାମ କେଉଁପାଣ୍ଠିରୁ ହେଉଛି, କେତେ ଅର୍ଥ ବ୍ୟୟ ହେବ ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥା କିଏ-ଏ ସମ୍ପର୍କରେ କୌଣସି ସୂଚନା ଫଳକ ଲଗାଯାଇନଥିବାରୁ କାର୍ଯ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ସରକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟସ୍ଥଳରେ ସୂଚନା ଫଳକ ରହିବା ବାଧ୍ୟତାମୂଳକ ବୋଲି ସ୍ଥାନୀୟ ଲୋକ ଉଲ୍ଲେଖ କରିଛନ୍ତି। ଟିମନପୁରରେ ଦୀର୍ଘବର୍ଷ ଧରି ସାପ୍ତାହିକ ବଜାର ବସୁଥିଲେ ମଧ୍ୟ ବ୍ୟବସାୟୀ ଓ ଗ୍ରାହକମାନେ ଖରା, ବର୍ଷା ଓ ଶୀତରେ ଖୋଲା ଆକାଶ ତଳେ ବଜାର କରିବାକୁ ବାଧ୍ୟ ହେଉଛନ୍ତି। ବଜାର ପିଣ୍ଡି ନିର୍ମାଣ ଶୀଘ୍ର ଶେଷ ହେବ ବୋଲି ଆଶା ରହିଥିଲେ ମଧ୍ୟ ବିଳମ୍ବ ଓ ବାରମ୍ବାର ଅଭିଯୋଗ ଲୋକଙ୍କ ମନରେ ଅସନ୍ତୋଷ ବଢ଼ାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ପ୍ରସଙ୍ଗରେ ସ୍ଥାନୀୟ ଲୋକ ପୂର୍ବରୁ ମଧ୍ୟ ଅଭିଯୋଗ କରିବା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ। ତଥାପି କାର୍ଯ୍ୟରେ ଆଶାନୁରୂପ ଅଗ୍ରଗତି ହୋଇନଥିବା ସେମାନେ କହିଛନ୍ତି। ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ, ଜିଲ୍ଲା ପ୍ରଶାସନ ସମଗ୍ର ଘଟଣାର ନିରପେକ୍ଷ ତଦନୁ କରି ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ସଂପୂକ୍ତଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସାମାଜିକ କର୍ମୀ ପଦ୍ମନାଭ ଜଗତଙ୍କ ସମେତ ସ୍ଥାନୀୟ ଲୋକ ଦାବି କରିଛନ୍ତି।