ଭଞ୍ଜନଗର ପୋଲିସ ବନ୍ଧୁକ, ଗଞ୍ଜେଇ ଓ ମୋବାଇଲ ଉଦ୍ଧାରରେ ଆଗୁଆ, ତୃତୀୟ ମୋବାଇଲ ମେଳାରେ ୩୫ଜଣ ପାଇଲେ ନିଜ ହଜିଲା ମୋବାଇଲ
ଭଞ୍ଜନଗର, ୨୬/୦୭ ( ଜେ. କେ ପଟ୍ଟନାୟକ ) : ବର୍ତ୍ତମାନ ସମୟରେ ମୋବାଇଲ ଫୋନର ଗୁରୁତ୍ୱ ଢେର ବେଶୀ। ପ୍ରତ୍ୟେକ ବ୍ୟକ୍ତି ମୋବାଇଲରେ ନିଜର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାଇତି ରଖୁଥିବା ବେଳେ କୌଣସି କାରଣରୁ ତାହା ହଜିଗଲେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡେ। ହେଲେ ଏଭଳି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଲଗାତାର ଭାବେ ଗତ ଦେଢ଼ ବର୍ଷରେ ୫ଟି ମୋବାଇଲ ମେଳା ଆୟୋଜନ କରି ମୋଟ ୧୬୫ଜଣ ମାଲିକଙ୍କୁ ନିଜର ଚୋରି ଯାଇଥିବା ଓ ହଜିଲା ମୋବାଇଲ ଫେରସ୍ତ କରିବାରେ ସଫଳ ହୋଇଛି।ଭଞ୍ଜନଗର ଥାନା ଆଇଆଇସି ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏହି କାର୍ଯ୍ୟରେ ଲାଗି ରହିଥିବା ବେଳେ ଚଳିତ ବର୍ଷର ତୃତୀୟ ମେଳାରେ ୩୫ଟି ବହୁ ନାମିଦାମୀ କମ୍ପାନୀର ହଜିଲା ମୋବାଇଲକୁ ଉଦ୍ଧାର କରି ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।ଆଜିର ମେଳାରେ ଭଞ୍ଜନଗର ଏସଡ଼ିପିଓ ଡକ୍ଟର ଦୀପକ କୁମାର ମିଶ୍ର, ଆଇଆଇସି ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ନିଜ ମୋବାଇଲ ଫେରି ପାଇବା ପରେ ଭଞ୍ଜନଗର ପୋଲିସର ଏଭଳି ପ୍ରଶଂସନୀୟ କାର୍ଯ୍ୟକୁ ସମସ୍ତେ କୃତଜ୍ଞତା ଜଣାଇଛନ୍ତି।ଏଥିସହ ପୋଲିସ ଭଞ୍ଜନଗର ଥାନା ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୪୦ଟି ଚୋରା ବନ୍ଧୁକ ଜବତ କରିଥିବା ବେଳେ ବହୁ ପରିମାଣରେ ଚୋରା ଗଞ୍ଜେଇ ମଧ୍ୟ ଧରିବାରେ ସକ୍ଷମ ହୋଇଛି।ସବୁବେଳେ ଭଞ୍ଜନଗର ଥାନା ପକ୍ଷରୁ ବହୁ ଜନ କଲ୍ୟାଣ କାର୍ଯ୍ୟ କରି ଚର୍ଚ୍ଚା ରେ ରହିଛି । ବିଶେଷ କରି ଏସବୁ କାର୍ଯ୍ୟ ପ୍ରତି ଅନ୍ୟ ଥାନା ଅଧିକାରୀ ମାନେ ଆନ୍ତରିକତା ପ୍ରକାଶ କରୁ ନଥିବା ଜଣାପଡିଛି।