କଟକରେ ଭୁଶୁଡ଼ିଲା ୬ ଲେନ୍ ରାସ୍ତାର ଗାର୍ଡ ୱାଲ୍; ବନ୍ୟା ଆଶଙ୍କା ମଧ୍ୟରେ ବଢ଼ିଲା ଚିନ୍ତା
କଟକ, ୦୮/୦୭ ( କାହୁଁ ଚରଣ ବାରିକ ) : ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟ କୁ । କଟକ ଚହଟା ରୁ ମଧୁସୂଦନ ସେତୁ ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାର କିଭଳି ଭାବରେ ଭୁଶୁଡ଼ି ପଡ଼ିଛି ନିର୍ମାଣ ଚାଲିଥିବା ୬ ଲେନ ବିଶିଷ୍ଟ ରାସ୍ତା ର ଗାର୍ଡ ୱାଲ୍। ଗତ ଶନିବାର ରାତିରେ ପାଖାପାଖି ୫୦ ମିଟର ୱାଲ୍ ଭୁଶୁଡ଼ି ପଡ଼ିଥିବା ବେଳେ ଆହୁରି ୧୦୦ ମିଟର ଏବେ ଭୁଶୁଡିବା ସ୍ଥିତିରେ। ଯେହେତୁ ରାସ୍ତା କଡ଼ରେ ମହାନଦୀ ରହିଛି ତେଣୁ ବର୍ତ୍ତମାନ ସ୍ଥିତିରେ ନଦୀବନ୍ଧ କୁ ଭୟ ସୃଷ୍ଟି କରିଛି ବନ୍ୟା । ରାସ୍ତା ର ଗାର୍ଡ ୱାଲ୍ ଭୁଶୁଡିବା ପରେ ଉଚ୍ଚ ସ୍ତରୀୟ ଅଧିକାରୀ ଓ ଜନ ପ୍ରତିନିଧି ମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ହେଲେ ଏହାକୁ ଖାତିର ନକରି ଠିକା ସଂସ୍ଥା ଏମ୍ ଏସ ଆଇ ଏଲ ପୁନର୍ବାର ମନମାନି କାର୍ଯ୍ୟ କରି ଚାଲିଛି। ସେହିଭଳି ଘଟଣାକୁ ଦୁଇଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀମାନଙ୍କ ମଧ୍ୟରେ କ୍ଷୋଭ ବଢ଼ିଛି।ସୋମବାର କଟକ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ରରେ ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ,ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଗୁଣାତ୍ମକ ମାନଦଣ୍ଡ ଅନୁଯାୟୀ ପୁନଃ ନିର୍ମାଣ କରାଯିବାକୁ ଦାବି କରାଯାଇଛି। ଏମିତିକି ପୁନର୍ବାର ନିର୍ମାଣ ହେଉଥିବା ରାସ୍ତାରେ ମଧ୍ୟ ପହଞ୍ଚି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଯେହେତୁ ଗୋଟିଏ ପଟେ ସାଇଡ ୱାଲ୍ ଭୁଶୁଡ଼ି ପଡ଼ିଛି ଅନ୍ୟପଟେ ମହାନଦୀ ର ବନ୍ୟା ଜଳ ବନ୍ଦ କୁ ଛୁଇଁ ସାରିଲାଣି ତେଣୁ କୌଣସି ମୁହୂର୍ତ୍ତରେ ବାକି ଥିବା ସାଇଡ ୱାଲ୍ ଭୁଶୁଡିବା ସହ ବନ୍ଦ ମଧ୍ୟ ଧସିବାର ସମ୍ଭାବନା ରହିଛି। ଯଦି ସଠିକ୍ ମାନ ର କାର୍ଯ୍ୟ ନ କରାଯାଏ ଓ ଠିକା ସଂସ୍ଥା ମନ ମୁଖୀ କାମ କରେ ତେବେ ହଜାର ହଜାର ଲୋକ ଙ୍କ ଘର ବିପଦ ରେ ପଡିବ ବୋଲି ଅଭିଯୋଗ କରିଛନ୍ତି।