କୁସୁମୀ ନଦୀ ସେତୁର ସ୍ମାର୍ଟ ଲାଇଟ୍ ବର୍ଷ ବର୍ଷ ଧରି ଅଚଳ, ଅନ୍ଧାରରେ ଯାତାୟାତ କରୁଛନ୍ତି ଲୋକେ
ନୟାଗଡ଼, ୦୨/୦୭ ( ସୁଧୀର କୁମାର ) : ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶିଖରପୁର ଓ ସରଣକୁଳକୁ ସଂଯୋଗ କରୁଥିବା କୁସୁମୀ ନଦୀ ସେତୁର ଉଭୟ ପାର୍ଶ୍ୱରେ ଲଗାଯାଇଥିବା ସ୍ମାର୍ଟ ଲାଇଟ୍ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଛି। ଫଳରେ ସନ୍ଧ୍ୟା ପରେ ସେତୁ ଦେଇ ଯାତାୟାତ କରୁଥିବା ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କିଛି ବର୍ଷ ପୂର୍ବରୁ ସେତୁର ସୌନ୍ଦର୍ଯ୍ୟ ବୃଦ୍ଧି ଓ ରାତ୍ରିକାଳୀନ ଯାତାୟାତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ସ୍ମାର୍ଟ ଲାଇଟ୍ ବ୍ୟବସ୍ଥା କରାଯାଇଥିଲା। ମାତ୍ର ବର୍ତ୍ତମାନ ସମସ୍ତ ଲାଇଟ୍ ଅଚଳ ହୋଇପଡ଼ିଥିବାରୁ ରାତିରେ ସେତୁ ଅନ୍ଧାରରେ ବୁଡ଼ି ରହୁଛି। ଏହି ପରିସ୍ଥିତି ଯୋଗୁଁ ପ୍ରତିଦିନ ଯାତାୟାତ କରୁଥିବା ଛାତ୍ରଛାତ୍ରୀ, କର୍ମଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସୁରକ୍ଷା ଭାବ ସୃଷ୍ଟି ହୋଇଛି। ଅଚଳ ହୋଇଥିବା ସ୍ମାର୍ଟ ଲାଇଟ୍ର ଶୀଘ୍ର ମରାମତି କରି ଚାଲୁ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଏନେଇ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।
– ସୁଧୀର କୁମାର, ଓଡ଼ଗାଁ (ନବଦୂତ ନ୍ୟୁଜ୍)