କଳାଙ୍ଗର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ।
ବୋଲଗଡ଼, ୦୫/୦୭ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କଳାଙ୍ଗ ସାଧନ କେନ୍ଦ୍ରର ୨୦୨୬-୨୭ ଶିକ୍ଷା ବର୍ଷର ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଂଯୋଜକ ବିଭୁପ୍ରସାଦ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟିତ କରିଥିଲେ। ପ୍ରଥମେ ସଂଯୋଜକ ଶ୍ରୀ ମହାପାତ୍ର ଉପସ୍ଥିତ ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ କରି କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ବାର୍ଷିକ କାର୍ଯ୍ୟ ଯୋଜନା,ସମୟ ନିର୍ଘଣ୍ଟ, ଶିକ୍ଷଣ ଫଳାଫଳ, ଶୈକ୍ଷିକ କ୍ୟାଲେଣ୍ଡର, ଯାଦୁପେଡି, ଶିଶୁ ବାଟିକା ପାଇଁ ଉଦ୍ଦିଷ୍ଟ କ୍ରୀଡାଭିତ୍ତିକ କାର୍ଯ୍ୟ ସମ୍ବନ୍ଧୀୟ ପୁସ୍ତିକା, ଗ୍ୟାଲେରୀ କାର୍ଯ୍ୟ, ଆକଳନ ରୂପରେଖ, ଶିକ୍ଷଣ ସୋପାନ ରେଜିଷ୍ଟର ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ୪ଟି ଦଳ ଗଠନ କରାଯାଇଥିଲା ଏବଂ ଦଳର ଦଳପତି ଯଥାକ୍ରମେ ସୁବାଷ ଚନ୍ଦ୍ର ମହାପାତ୍ର,ସୁଶ୍ରୀ ସୁନୀତା ପ୍ରଧାନ , ପ୍ରଶାନ୍ତ କୁମାର ପ୍ରଧାନ ଓ କିଶୋର କୁମାର ବେହେରା ଯାଦୁ ପେଡ଼ି ମାଧ୍ୟମରେ ଶିକ୍ଷଣ ଫଳାଫଳଗୁଡିକୁ ହାସଲ କରାଯିବାର ଶୈଳୀ ଉପସ୍ଥାପନ କରିଥିଲେ। କାହ୍ନୁ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଯ୍ୟୋଚିନ୍ଦ୍ର ଦାସ ଏବଂ ସହକାରୀ କର୍ମଚାରୀବୃନ୍ଦ ବୈଠକ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ସମସ୍ତ ଶିକ୍ଷକ ଶିକଷୟିତ୍ରୀମାନଙ୍କୁ ସୋମବାର ଦିନ ନିଜ ନିଜ ବିଦ୍ୟାଳୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକର ଆୟୋଜନ କରି ଆଲୋଚିତ ବିଷୟବସ୍ତୁଗୁଡିକୁ ବିଦ୍ୟାଳୟସ୍ତରରେ ସକାରାତ୍ମକ ପ୍ରୟୋଗ କରାଇବା ପାଇଁ ପରାମର୍ଶ ଦେଇଥିଲେ। ପରିଶେଷରେ ଗଦାଧର ବାଞ୍ଚାନିଧି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।