ବାଇକ୍ ଚୋରିକୁ ୩୬ ଘଣ୍ଟା; ସିସିଟିଭିରେ କଏଦ ଚୋରିର ଦୃଶ୍ୟ, ତଥାପି ମାମଲା ରୁଜୁ ହୋଇନଥିବା ପୀଡ଼ିତଙ୍କ ଅଭିଯୋଗ,
କଟକ, ୧୧/୦୭ ( କାହୁଁ ଚରଣ ବାରିକ ) : ଜଗତପୁର ଥାନା ଅଞ୍ଚଳରେ ଘଟିଥିବା ବାଇକ୍ ଚୋରି ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନଥିବା ବୋଲି ପୀଡ଼ିତ ଅଭିଯୋଗ କରିଛନ୍ତି। ଏପରିକି ଘଟଣାର ତଦନ୍ତରେ ତତ୍ପରତା ଦେଖାଇବା ପରିବର୍ତ୍ତେ ତାଙ୍କୁ ନିଜେ ବିଭିନ୍ନ ଛକ ବୁଲି ସିସିଟିଭି ଫୁଟେଜ୍ ସଂଗ୍ରହ କରିବାକୁ ପଡ଼ୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ପୀଡ଼ିତଙ୍କ କହିବା ଅନୁଯାୟୀ, ଗତ ୯ ଜୁଲାଇ ଭୋର ପ୍ରାୟ ୪ଟା ୪୭ ମିନିଟ୍ ସମୟରେ ଜଗତପୁର ନାନକା ଅଞ୍ଚଳରୁ ସମୀର ସାମଲଙ୍କ ଓଡି-୦୪କେ-୫୮୮୪ ନମ୍ବର ବିଶିଷ୍ଟ ବଜାଜ ପଲସର ବାଇକ୍ ଚୋରି ହୋଇଥିଲା। ଘଟଣାର ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଚୋରର ମୁହଁ ମଧ୍ୟ ସ୍ପଷ୍ଟ ଦେଖାଯାଉଥିବା ବୋଲି ସେ ଦାବି କରିଛନ୍ତି। ସ୍ଥାନୀୟ ସମିତି ସଭ୍ୟ ସୁରେନ୍ଦ୍ର ସାମଲ କହିବା ମୁତାବକ, ପୀଡିତ ତାଙ୍କ ସାଥିରେ ଆସି ଜଗତପୁର ଥାନାରେ ଲିଖିତ ଅଭିଯୋଗ ସହ ବାଇକ୍ର ସମସ୍ତ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାମଲା ରୁଜୁ ହୋଇନାହିଁ। ପୋଲିସ ଘଟଣାସ୍ଥଳ ଓ ଆଖପାଖର ସିସିଟିଭି ଯାଞ୍ଚ କରିବା ପରିବର୍ତ୍ତେ ଦୁହେଁ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ପୋଲିସକୁ ଦେଉଥିବା ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ, ପୀଡ଼ିତଙ୍କ ଏହି ଅଭିଯୋଗ ସମ୍ପର୍କରେ ଜଗତପୁର ଥାନା ଅଧିକାରୀ ପ୍ରଶାନ୍ତ ସାସମଲଙ୍କୁ ଯୋଗାଯୋଗ କରିବାରୁ ଥାନାରେ ନ ଥିଲି ମାମଲା ରୁଜୁ ସହ ଖୁବ ଶୀଘ୍ର ୨ଅଭିଯୁକ୍ତ ଗିରଫ କରାଯିବ।।।