ଝରିଗାଁ ଗାଉଁଟିଆଗୁଡ଼ାରେ ସଶସ୍ତ୍ର ଡକାୟତି; ମାରଣାସ୍ତ୍ର ଦେଖାଇ ୧୫ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଗହଣା ଲୁଟ
ଝରିଗାଁ, ୧୧/୦୭ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ ବାଣୁଆଗୁଡ଼ା ପଞ୍ଚାୟତର ଗାଉଁଟିଆଗୁଡ଼ା ଗ୍ରାମରେ ଜଣେ ଶିକ୍ଷକଙ୍କ ଘରେ ସଶସ୍ତ୍ର ଡକାୟତି ଘଟିଛି। କଲାମୁଖା ପିନ୍ଧିଥିବା ୪ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ଓ ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚାରିଚକିଆ ଗାଡ଼ିରେ ଆସିଥିବା ୪ ଜଣ ମୁଖାପିନ୍ଧା ଡକାୟତ ଶିକ୍ଷକ ଲକ୍ଷ୍ମଣ ଠାକୁରଙ୍କ ଘରେ ପଶିଥିଲେ। ସେମାନେ ଶୋଇବା ଘର, ରୋଷେଇ ଘର ଓ ଷ୍ଟୋର ରୁମର କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ନିଦ୍ରାରେ ଥିବା ଶିକ୍ଷକ ଓ ତାଙ୍କ ପତ୍ନୀଙ୍କୁ ଉଠାଇ ଆଲମାରୀର ଚାବି ମାଗିଥିଲେ। ବିରୋଧ କରିବାରୁ ଛୁରୀ, ଭୁଜାଲି ଓ ଫାର୍ସା ଭଳି ମାରଣାସ୍ତ୍ର ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଭୟଭୀତ ହୋଇ ଶିକ୍ଷକ ଚାବି ଦେବା ପରେ ଡକାୟତମାନେ ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ଘଟଣା ପରେ ପରିବାର ଲୋକେ ଘର ବାହାରକୁ ଆସି ଘର ସମ୍ମୁଖରେ ଚାରିଚକିଆ ଗାଡ଼ିର ଚକ ଚିହ୍ନ ଦେଖିଥିଲେ। ପରେ ଝରିଗାଁ ଥାନାରେ ଏନେଇ ଲିଖିତ ଏତଲା ଦିଆଯାଇଥିଲା। ଖବର ପାଇ ଝରିଗାଁ ଥାନା ଅଧିକାରୀ ରଚିତା ମାଡ଼କାମୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଇଛି। ନବରଙ୍ଗପୁର ଏସ୍ପି କଶ୍ୟପ ପାର୍ଥ ଜଗଦୀଶ ଓ ଏସ୍ଡିପିଓ ଶୁଭେନ୍ଦୁ କୁମାର ଶବର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ତଦାରଖ କରିଛନ୍ତି। ଡକାୟତମାନଙ୍କ ସନ୍ଧାନରେ ପୁଲିସ ତଦନ୍ତକୁ ଜୋରଦାର କରିଥିବା ଜଣାପଡ଼ିଛି। ସଶସ୍ତ୍ର ଡକାୟତିର ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି ହୋଇଛି। ଡକାୟତମାନଙ୍କୁ ଶୀଘ୍ର ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।