୩୬ କେଜି ଗଞ୍ଜେଇ ଧରିଲା ଭଞ୍ଜନଗର ପୋଲିସ ଜବତ: ୨ ଗିରଫ
ଭଞ୍ଜନଗର, ୦୪/୦୭ ( ଜେ. କେ ପଟ୍ଟନାୟକ ) : ପୁଣିଥରେ ପଡ଼ୋଶୀ କନ୍ଧମାଳ ଜିଲ୍ଲାରୁ ଚୋରା ଗଞ୍ଜେଇ ଚାଲାଣ ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଧରିବାରେ ସଫଳ ହୋଇଛି। ଗତ ୨ ଜୁଲାଇ ୨୦୨୬ ତାରିଖ ଅପରାହ୍ନ ପ୍ରାୟ ୪ଟା ୫୦ ମିନିଟ୍ ସମୟରେ ଦଦରଲୁଣ୍ଡା ବସ୍ ଷ୍ଟପ୍ ନିକଟରେ ଚଢ଼ାଉ କରି ପୋଲିସ ୩୬ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭଞ୍ଜନଗର ଥାନା ଏସ୍.ଆଇ. ସମୀର କୁମାର ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ ଯେ ଦୁଇଜଣ ବ୍ୟକ୍ତି ଟ୍ରଲି ବ୍ୟାଗ୍ରେ ଗଞ୍ଜେଇ ନେଇ ଚାଲାଣ ପାଇଁ ଦଦରଲୁଣ୍ଡା ବସ୍ ଷ୍ଟପ୍ ନିକଟରେ ଅପେକ୍ଷା କରୁଛନ୍ତି। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ ବେଳେ ଦୁଇଜଣ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ କାବୁ କରିଥିଲା | ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସାକ୍ଷୀମାନଙ୍କ ଉପସ୍ଥିତିରେ ଟ୍ରଲି ବ୍ୟାଗ୍ର ଯାଞ୍ଚ କରାଯାଇଥିଲା। ସେଥୁରୁ ଗଞ୍ଜେଇ ବାହାରିଥିଲା।ଉକ୍ତ ଗଞ୍ଜେଇ ସହ ଗୋଟିଏ ମୋବାଇଲ୍ ଫୋନ୍ ଏବଂ ନଗଦ ୨,୦୦୦ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ପ୍ରଭାକର ଦିଗାଲ ଓ (ଜି. ଉଦୟଗିରି ଥାନା ଅଞ୍ଚଳର ଜୁନେଶ ଦିଗାଲ ।ଏହି ଘଟଣାରେ ଭଞ୍ଜନଗର ଥାନାରେ ଏନଡ଼ିପିଏସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।