ରାୟଗଡା ଜିଲ୍ଲାରେ କଂଗେସ ରଣହୁଙ୍କାର
ରାୟଗଡ଼ା , ୨୨/୦୭ ( ଭି. ଗୌରି ଶଙ୍କର ରାଓ ) : ଛାତ୍ରଛାତ୍ରୀଙ୍କ ସ୍ୱରକୁ ଦମନ କରାଯାଉଥିବା ଅଭିଯୋଗ ଆଣି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ। ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଦମନ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଗିରଫକୁ ବିରୋଧ କରି ଦଳ ପକ୍ଷରୁ ପ୍ରତିବାଦ କରାଯାଇଛି। କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ରାଜ୍ୟବ୍ୟାପୀ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରାଯାଇଥିଲା। ଦଳର ନେତାମାନେ କହିଥିଲେ ଯେ, ଗଣତାନ୍ତ୍ରିକ ଅଧିକାରକୁ ଦମନ କରିବା ଉଦ୍ୟମ ବିରୋଧରେ କଂଗ୍ରେସର ଆନ୍ଦୋଳନ ଜାରି ରହିବ। ଏହି କ୍ରମରେ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କପିଳାସ ଛକ ନିକଟରେ ଏକ ବିଶାଳ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେଠାରେ ଦଳୀୟ ନେତା ଓ କର୍ମୀମାନେ ଏକାଠି ହୋଇ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଜୋରଦାର ସ୍ଲୋଗାନବାଜି କରିଥିଲେ। ଏହି ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଆନ୍ଦୋଳନରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ହକ୍ ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ।