ଉଦ୍ଘାଟନର ୫ ଦିନ ପୂର୍ବରୁ ଭୁଶୁଡ଼ିଲା ପାଚେରୀ; ୯ କୋଟିର ଖଡ଼ିଆଳ ହାଇଟେକ୍ ବସଷ୍ଟାଣ୍ଡକୁ ନେଇ ଉଠିଲା ପ୍ରଶ୍ନ
ନୂଆପଡା, ୦୭/୦୬ ( ପରମେଶ୍ୱର ମେହେର ) : ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ିଲା ପାଚେରୀ: ୯ କୋଟିର ଖଡ଼ିଆଳ ହାଇଟେକ୍ ବସଷ୍ଟାଣ୍ଡର ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ ଉଦ୍ଘାଟନକୁ ଆଉ ମାତ୍ର ପାଞ୍ଚ ଦିନ ବାକି?। ଏହା ପୂର୍ବରୁ ହିଁ ନବନିର୍ମିତ ଖଡ଼ିଆଳ ହାଇଟେକ୍ ବସଷ୍ଟାଣ୍ଡର ସୁରକ୍ଷା ଓ ନିର୍ମାଣ ଗୁଣବତ୍ତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । ବସଷ୍ଟାଣ୍ଡର ସୁଉଚ୍ଚ ପାଚେରୀର ଏକ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି । ଓଡ଼ିଶା ହାଉସିଂ ବୋର୍ଡ ପକ୍ଷରୁ ପ୍ରାୟ ୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ହାଇଟେକ୍ ବସଷ୍ଟାଣ୍ଡର ଉଦ୍ଘାଟନ ଆସନ୍ତା ଜୁଲାଇ ୧୦ ତାରିଖରେ ହେବାକୁ ଥିବା ସୂଚନା ରହିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଶନିବାର ହଠାତ୍ ବସଷ୍ଟାଣ୍ଡ ପରିସରର ପ୍ରାୟ ୪୦ରୁ ୫୦ ଫୁଟ ଲମ୍ବର ପାଚେରୀ ଭୁଶୁଡ଼ି ପଡ଼ି ନିକଟସ୍ଥ ଆମ୍ବେଦକର ପଡ଼ାର ବାସିନ୍ଦା ରାଜୁ ତାଣ୍ଡିଙ୍କ ଘର ଉପରେ ପଡ଼ିଥିଲା । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ଘଟିନଥିବା ଜଣାପଡ଼ିଛି । ଘଟଣା ପରେ ଜେସିବି ସହାୟତାରେ ଘର ଉପରେ ପଡ଼ିଥିବା ପାଚେରୀର ଭଙ୍ଗା ଅଂଶ ଓ ମଲମା ହଟାଯାଇଥିଲା,। ତେବେ ଉଦ୍ଘାଟନ ପୂର୍ବରୁ ହିଁ ଏଭଳି ଘଟଣା ଘଟିବା ପରେ ପ୍ରକଳ୍ପର ନିର୍ମାଣ ମାନ ଏବଂ ସ୍ଥାୟୀତ୍ୱକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଯଦି ଉଦ୍ଘାଟନ ପୂର୍ବରୁ ହିଁ ପାଚେରୀ ଭୁଶୁଡ଼ି ପଡ଼ୁଛି, ତେବେ ଭବିଷ୍ୟତରେ ପ୍ରତିଦିନ ଶହ ଶହ ଯାତ୍ରୀଙ୍କ ଯାତାୟାତ ସମୟରେ ସୁରକ୍ଷା କେତେ ସୁନିଶ୍ଚିତ ରହିବ, ତାହାକୁ ନେଇ ଚିନ୍ତା ବଢ଼ିଛି। ଏହି ଘଟଣାକୁ କେନ୍ଦ୍ର କରି ପ୍ରକଳ୍ପର ନିର୍ମାଣରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି। ସେମାନଙ୍କ ଦାବି, ସମଗ୍ର ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ବୈଷୟିକ ତଦନ୍ତ କରାଯାଇ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଅଣାଯାଉ। ଯଦି କୌଣସି ପ୍ରକାରର ଅବହେଳା କିମ୍ବା ତ୍ରୁଟି ପ୍ରମାଣିତ ହୁଏ, ତେବେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି। ଉଦ୍ଘାଟନ ପୂର୍ବରୁ ପାଚେରୀ ଧସିବା ଘଟଣାର କାରଣ ଚିହ୍ନଟ କରି ସମ୍ପୂର୍ଣ୍ଣ ପ୍ରକଳ୍ପର ସୁରକ୍ଷା ଯାଞ୍ଚ କରାଯିବ କି ନାହିଁ ଏବଂ ଜନସାଧାରଣଙ୍କ ଆଶଙ୍କା ଦୂର କରିବା ପାଇଁ କି ପଦକ୍ଷେପ ନିଆଯିବ, ତାହା ଏବେ ଦେଖିବାକୁ ବାକି ରହିଲା,।