Hot Posts

6/recent/ticker-posts

ବର୍ଷାରେ ବିଚ୍ଛିନ୍ନ ବନ୍ଦଗୁଡ଼ା: ରାସ୍ତା ସମସ୍ୟାରେ ହଇରାଣ ଗ୍ରାମବାସୀ, ତୁରନ୍ତ ନିର୍ମାଣ ଦାବି

ଝରୀଗାଁ, ୦୬/୦୭ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ କାନାକୋଟ ପଞ୍ଚାୟତ ଅଧୀନ ବନ୍ଦଗୁଡ଼ା ହାମଲେଟ୍ ଗ୍ରାମକୁ ଯିବା ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଅଳ୍ପ ବର୍ଷା ହେଲେ ରାସ୍ତା କାଦୁଅରେ ପରିଣତ ହେଉଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ କରିପାରୁନଥିବା ବେଳେ ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ୟ ଗ୍ରାମକୁ ପହଞ୍ଚିବା କଷ୍ଟକର ହେଉଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ପ୍ରାୟ ୫୦ ବର୍ଷ ପୂର୍ବେ ବୁଆଳିବେଡା ଗ୍ରାମରୁ ପୃଥକ ହୋଇ ବନ୍ଦଗୁଡ଼ା ଗ୍ରାମ ଗଠନ ହୋଇଥିଲା। ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମକୁ ପକ୍କା ରାସ୍ତାର ସୁବିଧା ମିଳିନାହିଁ। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଭୁଜବଳ ମାଝୀ, ବାନସିଂ ମାଝୀ, ମସୁ ମାଝୀ, ପଦୁରାମ ମାଝୀ, ରଘୁନାଥ ମାଝୀ ଓ ରମେଶ ମାଝୀଙ୍କ ସମେତ ଅନ୍ୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନଙ୍କୁ ଶୀଘ୍ର ରାସ୍ତାର ସ୍ଥାୟୀ ନିର୍ମାଣ କରି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।