ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍ ଅଗ୍ରୱାଲ, ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ
କଳାହାଣ୍ଡି, ୨୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ୩ ବର୍ଷୀୟା କୁନି ପ୍ରତିଭା କଶିସ୍ ଅଗ୍ରୱାଲ ପୁଣିଥରେ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି। ପୂର୍ବରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା କଶିସ୍ ଏବେ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ହାସଲ କରି ଚର୍ଚ୍ଚାରେ ରହିଛନ୍ତି। ଦେଖନ୍ତୁ ଏହି ରିପୋର୍ଟ। ଭବାନୀପାଟଣା ନନ୍ଦ କଲୋନୀର ବାସିନ୍ଦା ଆଶା ଅଗ୍ରୱାଲ ଓ କମଲ ବଂଶଲଙ୍କ ୩ ବର୍ଷର କନ୍ୟା କଶିସ୍ ଅଗ୍ରୱାଲ ନିଜର ଅସାଧାରଣ ସ୍ମୃତିଶକ୍ତି ଓ ଜ୍ଞାନ ପାଇଁ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛନ୍ତି। "ସର୍ବକନିଷ୍ଠ ବହୁମୁଖୀ ପ୍ରତିଭାସମ୍ପନ୍ନ ଶିଶୁ" ଭାବେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ଏପ୍ରିଲ ମାସରେ ମାତ୍ର ୨ ବର୍ଷ ୯ ମାସ ବୟସରେ କଶିସ୍ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲେ। ବର୍ତ୍ତମାନ ସେ ଗାୟତ୍ରୀ ମନ୍ତ୍ର, ବକ୍ରତୁଣ୍ଡ ମହାକାୟ, ଗୁରୁ ମନ୍ତ୍ର, କର୍ପୂର ଗୌରମ୍ ଓ ଆଇଗିରି ନନ୍ଦିନୀର ପ୍ରଥମ ସ୍ତବକ ସହ ଅନେକ ହିନ୍ଦୁ ମନ୍ତ୍ର ଆବୃତ୍ତି କରିପାରୁଛନ୍ତି। ଏହାସହ ସେ ବିଭିନ୍ନ ଦେଶର ପତାକା, ଭାରତର ମାନଚିତ୍ର, ଜାତୀୟ ପ୍ରତୀକ, ପଶୁ ଓ ସେମାନଙ୍କ ଛୁଆଙ୍କୁ ଚିହ୍ନଟ କରିପାରୁଛନ୍ତି। ଭାରତର ଜାତୀୟ ସଙ୍ଗୀତର ଅଧିକାଂଶ ଅଂଶ ଗାଇବା ସହ ଆଧ୍ୟାତ୍ମିକତା ଓ ହିନ୍ଦୁ ସଂସ୍କୃତି ବିଷୟରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଜ୍ଞାନ ରହିଛି। କଶିସ୍ଙ୍କ ଏହି ସଫଳତା ପରେ କଳାହାଣ୍ଡି ସମେତ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ