Hot Posts

6/recent/ticker-posts

ମେଡିକାଲ କଲେଜ ନାମକରଣକୁ ନେଇ ବଢ଼ିଲା ବିବାଦ: ୧୫ ଦିନ ମଧ୍ୟରେ ପୁନର୍ବିଚାର ନହେଲେ ଆନ୍ଦୋଳନ ଚେତାବନୀ

ଫୁଲବାଣୀ, ୨୯/୦୭ (ଅଚ୍ୟୁତ ଜାନୀଙ୍କ ରିପୋର୍ଟ) : କନ୍ଧମାଳ ଜିଲ୍ଲାର ଫୁଲବାଣୀଠାରେ ନିର୍ମିତ ଭେଷଜ ମେଡିକାଲ କଲେଜର ନାମକରଣକୁ ନେଇ ବିବାଦ ଦେଖାଦେଇଛି। ଏହି ପ୍ରସଙ୍ଗରେ ବୁଧବାର ଫୁଲବାଣୀ ସାମ୍ବାଦିକ ଭବନରେ ମିଳିତ ମଞ୍ଚ କନ୍ଧମାଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ରାଜ୍ୟ ସରକାରଙ୍କ ନାମକରଣ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଦାବି କରାଯିବା ସହ ୧୫ ଦିନ ମଧ୍ୟରେ ନିଷ୍ପତ୍ତିରେ ପରିବର୍ତ୍ତନ ନ ଆସିଲେ ଗଣଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନା ଅନୁଯାୟୀ, ଚଳିତ ମାସର ୨୭ ତାରିଖରେ ରାଜ୍ୟ ସରକାର ଫୁଲବାଣୀରେ ନିର୍ମିତ ଭେଷଜ ମେଡିକାଲ କଲେଜର ନାମ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ବିରୋଧ କରି ମିଳିତ ମଞ୍ଚ ଓ କୁଇ ସମାଜର ବିଭିନ୍ନ ସଂଗଠନ କହିଛନ୍ତି ଯେ, ପୂର୍ବରୁ ସରକାରଙ୍କୁ କନ୍ଧମାଳର କୌଣସି ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ କିମ୍ବା ‘କନ୍ଧମାଳ ମେଡିକାଲ କଲେଜ’ ନାମରେ ନାମକରଣ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେହି ପ୍ରସ୍ତାବକୁ ଅଣଦେଖା କରି ସରକାର ବର୍ତ୍ତମାନର ନାମକୁ ଅନୁମୋଦନ କରିଥିବା ଅଭିଯୋଗ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତୃବୃନ୍ଦ କହିଥିଲେ ଯେ, ଜିଲ୍ଲାବାସୀଙ୍କ ଭାବାବେଗ ଓ ମତାମତକୁ ସମ୍ମାନ ଜଣାଇ ସରକାର ଏହି ନିଷ୍ପତ୍ତି ଉପରେ ତୁରନ୍ତ ପୁନର୍ବିଚାର କରନ୍ତୁ। ଯଦି ୧୫ ଦିନ ମଧ୍ୟରେ ନାମକରଣରେ ପରିବର୍ତ୍ତନ କରାନଯାଏ, ତେବେ ରାଜରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଗଣଆନ୍ଦୋଳନ କରାଯିବ ବୋଲି ସେମାନେ ସ୍ପଷ୍ଟ କରିଥିଲେ। ସେହି ସମୟରେ ଜିଲ୍ଲାରେ କୌଣସି ପ୍ରକାର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚର ସଭାପତି ସମିର ଘଟାଲ, କୁଇ ସମାଜ ସେବା ସମିତି ଫୁଲବାଣୀର କାର୍ଯ୍ୟକାରୀ ସଭାପତି ରମାକାନ୍ତ ମଲ୍ଲିକ, ଆଦିବାସୀ ମହାସଂଘ କନ୍ଧମାଳର ସଭାପତି ମନୋଜ କୁମାର ପ୍ରଧାନ, କୁଇ ସମନ୍ୱୟ ସମିତି କନ୍ଧମାଳର ସାଧାରଣ ସମ୍ପାଦକ ଲମ୍ବୋଦର କହଁର, କୁଇ ସମାଜ ସେବା ସମିତିର ମୁଖ୍ୟ ସଦସ୍ୟ ଗୌତମ ପ୍ରଧାନ, କୁଇ ସାଂସ୍କୃତିକ ସମ୍ପାଦକ ବିରେନ୍ଦ୍ର କୁମାର କହଁର, କାର୍ଯ୍ୟକାରୀଣୀ ସଦସ୍ୟ ପଞ୍ଚାନନ କହଁର, ମିଳିତ ମଞ୍ଚ ସଭ୍ୟ ବିନୋଦ କୁମାର ପ୍ରଧାନ, ତ୍ରୀନାଥ ମାଝୀ, ପାଣ ସମାଜ କଲ୍ୟାଣ ସଭାର ସଭାପତି ପଙ୍କଜ ବେହେରାଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।