ତେନ୍ତୁଳିଖୁଣ୍ଟି, ୨୫/୦୭ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ଅଞ୍ଚଳ ପାଇଁ ଆଉ ଏକ ନିରାଶାଜନକ ଖବର ସାମ୍ନାକୁ ଆସିଛି। ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗର ପତ୍ର ସଂଖ୍ୟା ୨୨୨୩୬, ତାରିଖ ୨୪/୦୭/୨୦୨୬ ଅନୁଯାୟୀ, ଇନ୍ଦ୍ରାବତୀରେ ଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀ (Additional Chief Engineer) କାର୍ଯ୍ୟାଳୟକୁ କଳାହାଣ୍ଡି ଜିଲ୍ଲାର ନର୍ଲା ସ୍ଥିତ ପ୍ରକଳ୍ପକୁ ସ୍ଥାନାନ୍ତର କରାଯାଇ ସେଠାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ଇନ୍ଦ୍ରାବତୀରେ ଥିବା ମୁଖ୍ୟଯନ୍ତ୍ରୀ ତଥା ବେସିନ ମ୍ୟାନେଜର କାର୍ଯ୍ୟାଳୟକୁ ବାରିନିପୁଟକୁ ସ୍ଥାନାନ୍ତର କରାଯାଇଥିଲା। ଏହା ପରେ କେବଳ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଶାସନିକ କ୍ଷମତା ସହ କାର୍ଯ୍ୟ କରୁଥିଲା। ତେବେ ବର୍ତ୍ତମାନ ସେହି କାର୍ଯ୍ୟାଳୟ ମଧ୍ୟ ସ୍ଥାନାନ୍ତର ହେବା ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କ ଆଶା ଓ ଭରସାକୁ ବଡ଼ ଝଟକା ଦେଇଛି। ସ୍ଥାନୀୟ ବାସିନ୍ଦାମାନେ ଓ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକ ଗୌରୀଶଙ୍କର ମାଝୀଙ୍କୁ କାର୍ଯ୍ୟାଳୟ ସ୍ଥାନାନ୍ତର ନ କରିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିନଥିବା ଜଣାପଡ଼ିଛି। ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଠିଯିବା ପରେ ପ୍ରକଳ୍ପ ସମ୍ବନ୍ଧୀୟ ବଡ଼ ବଡ଼ ନିଷ୍ପତ୍ତି ପାଇଁ ସ୍ଥାନୀୟ ଅଧିକାରୀମାନଙ୍କୁ ଉପରିସ୍ଥ କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ିବ। ଫଳରେ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ହେବା ସହ ସରକାରୀ କାର୍ଯ୍ୟର ଗତି ମନ୍ଥର ହେବାର ଆଶଙ୍କା ରହିଛି। ଏହାର ପ୍ରଭାବ ଇନ୍ଦ୍ରାବତୀ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ପଡ଼ିପାରେ। ପ୍ରକଳ୍ପ ଅଞ୍ଚଳର ରାସ୍ତା, ଡ୍ୟାମ କଲୋନୀ ଓ ଅନ୍ୟାନ୍ୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ପ୍ରକଳ୍ପ ଡାକ୍ତରଖାନା ଏପର୍ଯ୍ୟନ୍ତ ସମ୍ପୃକ୍ତ ବିଭାଗକୁ ହସ୍ତାନ୍ତର ହୋଇନଥିବାରୁ ସେଗୁଡ଼ିକର ପରିଚାଳନା ନେଇ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିବା ଜମିର ସ୍ୱତ୍ୱାଧିକାର ସମ୍ବନ୍ଧୀୟ ବିବାଦ, ଜୟପୁର–କୁସୁମଖୁଣ୍ଟି ମଧ୍ୟରେ ଅଟକି ରହିଥିବା ଜମି ସମସ୍ୟା, ବସ୍ଷ୍ଟାଣ୍ଡ, ମାର୍କେଟ କମ୍ପ୍ଲେକ୍ସ ଓ ଭେଣ୍ଡିଂ ଜୋନ୍ ସମ୍ବନ୍ଧୀୟ ବିବାଦର ସମାଧାନ କେଉଁ କାର୍ଯ୍ୟାଳୟରେ ହେବ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହାଛଡ଼ା ଛୋଟ ବଡ଼ ପ୍ରକଳ୍ପ ଅନୁମୋଦନ ଓ ଏଷ୍ଟିମେଟ ସ୍ୱୀକୃତି ପାଇଁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ମୁଖ୍ୟ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବାରୁ ସାଧାରଣ ଲୋକ ଓ ସ୍ଥାନୀୟ ପ୍ରଶାସନ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକେ ଏହାକୁ ଇନ୍ଦ୍ରାବତୀ ଅଞ୍ଚଳ ପ୍ରତି ସରକାରଙ୍କ ଅବହେଳା ବୋଲି ଅଭିହିତ କରିଥିବା ବେଳେ ଏହି ନିଷ୍ପତ୍ତିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର l
