Hot Posts

6/recent/ticker-posts

ଗୁଣପୁର ହାଇସ୍କୁଲରେ ଗୋଷ୍ଠୀ ସଂଘର୍ଷ

ଥୁଆମୂଳ ରାମପୁର, ୧୧/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ହଷ୍ଟେଲ ଛାତ୍ର ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ସ୍କୁଲ ପରିସରକୁ କିଛି ଅଣଛାତ୍ର ପ୍ରବେଶ କରି ଛାତ୍ରମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ତିନି ଜଣ ଦଶମ ଶ୍ରେଣୀର ହଷ୍ଟେଲ ଛାତ୍ର ଆହତ ହୋଇଥିବା ବେଳେ, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ବିବାଦ ଘଟିଥିବା ଅଭିଯୋଗ ହେଉଥିବା ବେଳେ, ସ୍କୁଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ଡବ୍ଲୁଇଓ ଓ କର୍ଲାପାଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ହଷ୍ଟେଲରେ ରହୁଥିବା ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ସେହି ଶ୍ରେଣୀର ଜଣେ ଡେ-ସ୍କଲାର ଛାତ୍ର ଅସଦାଚରଣ କରିଥିଲେ। ଏହାକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଅପରାହ୍ନ ପ୍ରାୟ ୩ଟା ସମୟରେ କିଛି ଅଣଛାତ୍ର ସ୍କୁଲ ପରିସରକୁ ପ୍ରବେଶ କରି ହଷ୍ଟେଲ ଛାତ୍ରମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଦଶମ ଶ୍ରେଣୀର ହଷ୍ଟେଲ ଛାତ୍ର ନରେଶ ନାଏକ, ରାଜୁ କୁମାର ମାଝୀ ଓ ଚୈତନ୍ୟ ମାଝୀ ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ କିଛି ଛାତ୍ର ଭୟଭୀତ ହୋଇ ଘରକୁ ଫେରିଯାଇଥିବା ସୂଚନା ମିଳିଛି। ସ୍କୁଲରେ ୩୧୬ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ, ସିସିଟିଭି ଲାଗିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ନଥିବା ଏବଂ ପାଚେରୀ ଭଗ୍ନ ଅବସ୍ଥାରେ ଥିବାରୁ ବାହାର ଲୋକ ସହଜରେ ସ୍କୁଲ ଭିତରକୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍କୁଲ ସୁରକ୍ଷା ବ୍ୟବସ୍ଥା ଉପରେ ଅଭିଭାବକ ଓ ସ୍ଥାନୀୟ ଲୋକ ଚିନ୍ତା ପ୍ରକାଶ କରିଛନ୍ତି। ଅନ୍ୟପଟେ, ଏହି ଘଟଣା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ଅଭିଯୋଗ ହେଉଥିବା ବେଳେ, ସ୍କୁଲ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଡବ୍ଲୁଇଓ ଏବଂ କର୍ଲାପାଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଅଧିକାରୀମାନେ କହିଛନ୍ତି। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଏବଂ ଛାତ୍ରମାନଙ୍କ ଉପରେ ଆକ୍ରମଣ ଘଟଣା ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ବର୍ତ୍ତମାନ ସମସ୍ତଙ୍କ ନଜର ପୁଲିସ ଓ ଶିକ୍ଷା ବିଭାଗର ତଦନ୍ତ ଉପରେ ରହିଛି।