କଳାହାଣ୍ଡି, ୨୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ମ, ରାମପୁର ପୋଲିସ କୁ ଗୋଟିଏ ପରେ ଗୋଟିଏ ବଡ ସଫଳତା ମିଳିଛି ୨୩ ତାରିଖ ଦିନ ମ୍. ରାମପୁର ଥାନା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ଏକ ଧଳା ରଙ୍ଗର CG-04LV-7002 ନମ୍ବର ବିଶିଷ୍ଟ ଜିପ୍ରେ ବହୁ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରାଯାଉଛି। ଏହି ସୂଚନା ପାଇବା ପରେ ତୁରନ୍ତ ମ୍. ରାମପୁର ଥାନା ଅଧିକାରୀଣୀ ଶ୍ରୀ ମତୀ ସଞ୍ଜୁକ୍ତା ପ୍ରଧାନ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଦଳ ଗଠନ କରାଯାଇ ସିଡିଂପଦର ନିକଟରେ ନାକାବନ୍ଦୀ ଓ ଯାନବାହନ ଯାଞ୍ଚ ଆରମ୍ଭ କରାଯାଇଥିଲା। କିଛି ସମୟ ପରେ ଉକ୍ତ ଜିପ୍ଟି ସେହି ରାସ୍ତାରେ ଆସୁଥିବା ଦେଖି ପୋଲିସ ଅଟକିବାକୁ ସଙ୍କେତ ଦେଇଥିଲା। କିନ୍ତୁ ଗାଡ଼ି ଚାଳକ ପୋଲିସକୁ ଦେଖି ଗାଡ଼ି ବୁଲାଇ ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ଦଳ ତୁରନ୍ତ ପିଛା କରି ଗାଡ଼ିକୁ ଅଟକାଇବା ସହ ଚାଳକଙ୍କୁ କାବୁ କରିବାରେ ସଫଳ ହୋଇଥିଲା।ଏହାପରେ NDPS ଆଇନର ସମସ୍ତ ନିୟମ ପାଳନ କରି, ଅଭିଯୁକ୍ତଙ୍କୁ ତାଙ୍କ ଆଇନଗତ ଅଧିକାର ସମ୍ପର୍କରେ ଅବଗତ କରାଯାଇଥିଲା। ପରେ କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଓ ସ୍ୱାଧୀନ ସାକ୍ଷୀମାନଙ୍କ ଉପସ୍ଥିତିରେ ଜିପ୍ର ତଲାସି କରାଯାଇଥିଲା। ତଲାସି ବେଳେ ଗାଡ଼ିର ଡିକିରୁ ୧୦ଟି ପ୍ଲାଷ୍ଟିକ ଜରି ବ୍ୟାଗରେ ଲୁଚାଇ ରଖାଯାଇଥିବା ବ୍ୟବସାୟିକ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ମୋଟ ଓଜନ ପ୍ରାୟ ୧୬୩ କେଜି (ସମୁଦାୟ ଓଜନ) ଏବଂ କେବଳ ଗଞ୍ଜେଇର ଓଜନ ୨୬୨ କେଜି ଥିଲା। ନିୟମାନୁସାରେ ଓଜନ, ନମୁନା ସଂଗ୍ରହ, ସିଲ୍ ଓ ଜବତ ପ୍ରକ୍ରିୟା କରାଯାଇଥିଲା। ଘଟଣାରେ ବ୍ୟବହୃତ ଜିପ୍ ଏବଂ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍କୁ ମଧ୍ୟ ଜବତ କରାଯାଇଛି। ଘଟଣାରେ ଇନ୍ଦ୍ର ସାହୁ (୨୨), ପିତା–ବିପ୍ର ସାହୁ, ଗ୍ରାମ–ରାଜାମୁଣ୍ଡା, ଥାନା–ଏମ୍. ରାମପୁର, ଜିଲ୍ଲା–କଳାହାଣ୍ଡିଙ୍କୁ ଗିରଫ କରାଯାଇ ଏମ୍. ରାମପୁର ଥାନା କେସ୍ ନଂ–୧୮୭, ତା. ୨୩.୦୭.୨୦୨୬, ଧାରା–୨୦(ବି)(ii)(C) NDPS ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତଙ୍କୁ ମାନ୍ୟବର ଅଦାଲତକୁ ଚାଲାଣ କରାଯିବ । ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି ଯେ, ଏହି ଗଞ୍ଜେଇ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଓ ସଦସ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି। କଳାହାଣ୍ଡି ପୋଲିସ ମାଦକ ଦ୍ରବ୍ୟର ଅବୈଧ କାରବାର ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଆଗାମୀ ଦିନରେ ମଧ୍ୟ ଏଭଳି କଡ଼ା ଅଭିଯାନ ଜାରି ରଖାଯିବ ବୋଲି ପୋଲିସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
