Hot Posts

6/recent/ticker-posts

ନୂତନ ଶ୍ରେଣୀଗୃହର ଛାତରୁ ଝରୁଛି ପାଣି

ଧର୍ମଗଡ଼, ୨୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଖନାତରା କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଅର୍ଥରେ ନିର୍ମିତ ନୂତନ ଶ୍ରେଣୀଗୃହ ପ୍ରଥମ ବର୍ଷାରେ ହିଁ ପ୍ରଶ୍ନର ସମ୍ମୁଖୀନ ହୋଇଛି। ପ୍ରାୟ ୧୫ ଲକ୍ଷ ୪୭ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଶ୍ରେଣୀଗୃହର ଛାତରୁ ବର୍ଷା ପାଣି ଗଳୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ବହି ଓ ପାଠ୍ୟ ସାମଗ୍ରୀ ଭିଜି ନଷ୍ଟ ହେଉଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ଅଭିଯୋଗ ଉଠିଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଧର୍ମଗଡ଼ ବ୍ଲକର ଖନାତରା କେନ୍ଦ୍ରୀୟ ପ୍ରାଥମିକ ବିଦ୍ୟାଳୟରେ S&ME (S.S.) ଯୋଜନାର ୨୦୨୩–୨୪ ଆର୍ଥିକ ବର୍ଷରେ ୧୫ ଲକ୍ଷ ୪୭ ହଜାର ଟଙ୍କା ଅଟକଳ ମୂଲ୍ୟରେ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷା ପରିବେଶ ଯୋଗାଇବା। କିନ୍ତୁ ନିର୍ମାଣ କାର୍ଯ୍ୟ ସରିବାର ଅଳ୍ପ ଦିନ ପରେ ପ୍ରଥମ ବର୍ଷାରେ ହିଁ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି ସାମାନ୍ୟ ବର୍ଷା ହେଲେ ଶ୍ରେଣୀଗୃହର ଛାତର ବିଭିନ୍ନ ସ୍ଥାନରୁ ପାଣି ଗଳୁଛି। ଏହି ପାଣି ସିଧାସଳଖ ଶ୍ରେଣୀଗୃହ ଭିତରକୁ ପଡ଼ୁଥିବାରୁ ବହି, ଖାତା ଓ ପାଠ୍ୟ ସାମଗ୍ରୀ ଭିଜି ନଷ୍ଟ ହେଉଛି। ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଅସୁବିଧା ମଧ୍ୟରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ସୂଚନା ଫଳକ ଅନୁଯାୟୀ, ଏହି ଶ୍ରେଣୀଗୃହ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ରଙ୍କ ନିର୍ବାହକତ୍ୱରେ ନିର୍ମାଣ କରାଯାଇଥିଲା। ହେଲେ ନିର୍ମାଣ ସରିବାର କିଛି ମାସ ମଧ୍ୟରେ ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକେ କାମର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଅବହେଳା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଅଭିଭାବକମାନଙ୍କ କହିବା ଅନୁସାରେ, ସରକାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଭଳି ନିମ୍ନମାନର ନିର୍ମାଣ କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ କରୁଛି। ବର୍ଷା ସମୟରେ ଶ୍ରେଣୀଗୃହ ଭିତରେ ପାଣି ପଡ଼ୁଥିବାରୁ ପାଠପଢ଼ା ବ୍ୟାହତ ହେଉଛି। ସେହିସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକେ ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି। ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରି ଯଦି କୌଣସି ଅନିୟମିତତା କିମ୍ବା ଦୁର୍ନୀତି ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଅଧିକାରୀ, ନିର୍ବାହକ ଓ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହା ସହିତ ଶ୍ରେଣୀଗୃହର ତ୍ରୁଟିକୁ ତୁରନ୍ତ ସୁଧାରି ଛାତ୍ରଛାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ଉପଯୁକ୍ତ ପାଠପଢ଼ା ପରିବେଶ ସୃଷ୍ଟି କରିବାକୁ ମଧ୍ୟ ସାଧାରଣରେ ଦାବି ହେଉଛି।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ