କଟକରେ ପୁଣି ମହିଳାଙ୍କ ମୃତଦେହ ଉଦ୍ଧାର, ବାଇକ୍ ଓ ଚପଲ ମିଳିଥିବା ଘଟଣା ସହ ଲିଙ୍କ୍ ଖୋଜୁଛି ପୋଲିସ
କଟକ, ୨୩/୦୭ ( କାହୁଁ ଚରଣ ବାରିକ ) : କଟକ ଜଗତପୁର ଥାନା ଅନ୍ତର୍ଗତ ବିରୂପା ବ୍ରିଜ୍ର ୧୦ ନମ୍ବର ଗେଟ୍ ନିକଟରେ ପୁଣିଥରେ ଏକ ମହିଳାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବର ପାଇ ଜଗତପୁର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ନିୟନ୍ତ୍ରଣ କରିବା ସହ ଲୋକଙ୍କ ଭିଡ଼କୁ ସମ୍ଭାଳିଥିଲେ। ଏହାପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ମୃତଦେହକୁ ପାଣିରୁ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) ପାଇଁ ମେଡିକାଲ (ହସ୍ପିଟାଲ)କୁ ପଠାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମହାନଦୀ ବଟଛକ ନିକଟରୁ ଏକ ପରିତ୍ୟକ୍ତ ବାଇକ୍, ଜଣେ ମହିଳାଙ୍କ ଚପଲ ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର ହୋଇଥିଲା। ପ୍ରାଥମିକ ତଦନ୍ତରୁ ବାଇକ୍ଟି ଚୌଦ୍ୱାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜିକୃତ ଥିବା ସୂଚନା ମିଳିଥିଲା। ଏବେ ବିରୂପା ବ୍ରିଜ୍ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହେବା ପରେ, ପୂର୍ବରୁ ଉଦ୍ଧାର ହୋଇଥିବା ବାଇକ୍ ଓ ସାମଗ୍ରୀ ସହ ଏହି ଘଟଣାର କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଚଳାଇଛି। ତେବେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ ମୃତଦେହର ପରିଚୟ କିମ୍ବା ଦୁଇଟି ଘଟଣା ମଧ୍ୟରେ ସମ୍ପର୍କ ଥିବା ନେଇ କୌଣସି ପୃଷ୍ଠ କରାଯାଇନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଏବଂ ପରବର୍ତ୍ତୀ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।