ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତ ବ୍ୟସ୍ତ ।
ବାଲିଆପାଳ ୨୫/୦୭ ( ସନ୍ୟାସୀ ବେହେରା ) : ଗଲା ତିନି ଦିନ ହେବ ଲଗାଣ ବର୍ଷା ଯୋଗୁଁ ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି।ଲୋକେ ବର୍ଷା ଯୋଗୁଁ ଘରୁ ବାହାରି ପାରୁ ନାହାଁନ୍ତି। ଗୃହପାଳିତ ପଶୁ ପକ୍ଷୀଙ୍କ ଦୁର୍ଦ୍ଦଶା କହିଲେ ନ ସରେ। ରାସ୍ତା, ବଜାର ସବୁଠି କାଦ ପଚ ପଚ । ଦୈନିକ ପାରିବା ଓ ମାଛ ମାର୍କେଟ ଗୁଡିକରେ ଏତେ କାଦୁଅ ହୋଇଛି ଯେ ସଉଦା ଓ ମାଛ କିଣିବା କଷ୍ଟକର ହୋଇଛି। ଢିପ ଜମିକୁ ଛାଡିଦେଲେ ଅନ୍ୟ ସବୁ ଜମିରେ ପାଣି ବନ୍ୟା ଭ୍ରମ ସୃଷ୍ଟି କରିଛି। ଚାଷୀଙ୍କ ପାରିବା ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି କହିଲେ ଚଳେ। ଧାନ ତଳି ମଧ୍ୟ ବର୍ଷା ପାଣିରେ ବୁଡି ରହିଛି। ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି। ଫଳରେ ଲୋକେ ରାତି ତମାମ ଅନ୍ଧାରରେ ରହିଛନ୍ତି। ଆଜି କେବଳ ବାଲିଆପାଳରେ ତିନି ମିଲି ମିଟର ବର୍ଷା ହୋଇ ଥିବା ରେକର୍ଡ କରାଯାଇଛି। ତେବେ ସୁବର୍ଣ୍ଣ ରେଖା ନଦୀରେ ଜଳ ସ୍ତର ସାମାନ୍ୟ ଥିବା ଜଣା ଯାଇଛି। ବଙ୍ଗୋପ ସାଗରରେ ଏବେ ଅଧିକ ଜୁଆର ଥିବାରୁ ଥିବାରୁ ମତ୍ସଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି। ତେବେ ନଦୀର ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।