ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କୋକସରା, ୦୮/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଡହଗାଁ ନାଗପଡ଼ା ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିକଟସ୍ଥ କରଡ଼ାଡଙ୍ଗରର ଏକ ବଟଗଛରୁ ଉଦ୍ଧାର କରିଛି ପୋଲିସ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି। ମୃତକ ହେଲେ କିଶୋର ନାଗ। ସୂଚନା ଅନୁସାରେ ସେ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ତିନି ଦିନ ତଳେ ସେ ନିଜ ଗାଁକୁ ଆସିଥିଲେ। ଗତ ରାତିରେ ଖାଇ ସାରି ଶୋଇବାକୁ ଯାଇଥିବା ବେଳେ ସକାଳେ ପରିବାର ଲୋକେ ତାଙ୍କୁ ଘରେ ନ ପାଇ ଖୋଜାଖୋଜି କରିଥିଲେ। ପରେ ନିକଟସ୍ଥ କରଡ଼ାଡଙ୍ଗରର ଏକ ବଟଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଜବତ କରିଛି। ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।