ଜୟପାଟଣା ପ୍ରଧାନୀପଡ଼ାରେ ମୌଳିକ ସୁବିଧାର ଅଭାବ
ଜୟପାଟଣା, ୦୮/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ସହରାଞ୍ଚଳ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଏନ୍.ଏ.ସି. ଅଧୀନ ପ୍ରଧାନୀପଡ଼ାରେ ମୌଳିକ ସୁବିଧାର ଘୋର ଅଭାବ ଅଭିଯୋଗ ହୋଇଛି। ରାସ୍ତା, ଡ୍ରେନ୍ ଓ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକେ ଦୁର୍ଦ୍ଦଶାରେ ଜୀବନ ବିତାଉଥିବା ବେଳେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। ନିକଟରେ ଏନ୍.ଏ.ସି. ମାନ୍ୟତା ପାଇଥିବା ପ୍ରଧାନୀପଡ଼ାରେ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା କିମ୍ବା ଡ୍ରେନ୍ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। ପାଣି ନିଷ୍କାସନର ସୁବିଧା ନଥିବାରୁ ବର୍ଷା ପାଣି ଓ ମଇଳା ପାଣି ଜମି ରହୁଛି। ଏହା ଫଳରେ ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି ଏବଂ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଞ୍ଚଳର ନଳକୂଅର ପାଣି ମଧ୍ୟ ପ୍ରଦୂଷିତ ହୋଇପଡ଼ିଛି। ବାଧ୍ୟ ହୋଇ ସେହି ପାଣି ପିଇବାକୁ ପଡ଼ୁଥିବାରୁ ଅନେକ ଲୋକ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଥିବା ଦାବି କରିଛନ୍ତି। ସ୍ଥାନୀୟମାନେ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ, ଡ୍ରେନେଜ୍ ବ୍ୟବସ୍ଥା ଓ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି। ଏହି ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ଉପରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ। ଯଦି ଶୀଘ୍ର ସମାଧାନ ନହୁଏ, ତେବେ ସ୍ୱାସ୍ଥ୍ୟ ସଙ୍କଟ ଆହୁରି ବଢ଼ିପାରେ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।