Hot Posts

6/recent/ticker-posts

ବର୍ଷେ ନପୂରୁଣୁ ରାସ୍ତାରେ କାଦୁଅ; ଧାନ ରୁଆ ଲଗାଇ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ

ଝରୀଗାଁ, ୩୦/୦୭ ( ନକୁଳ ଭତରା ) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଏକାମ୍ବା ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧ ଗ୍ରାମରେ ବର୍ଷେ ନପୂରୁଣୁ ନବନିର୍ମିତ ରାସ୍ତାର ଦୟନୀୟ ଅବସ୍ଥାକୁ ନେଇ ଗ୍ରାମବାସୀ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ବର୍ଷାରେ ରାସ୍ତା କାଦୁଅ ଓ ପାଣିରେ ଭରିଯାଉଥିବାରୁ ଅତିଷ୍ଠ ହୋଇ ସେମାନେ ରାସ୍ତା ଉପରେ ଧାନ ରୁଆ ଲଗାଇ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ପ୍ରତି ପ୍ରଶ୍ନ ଉଠାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆର୍‌ଡି ରାସ୍ତାଠାରୁ ଗ୍ରାମର ଶେଷମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କାମ ଗତବର୍ଷ କରାଯାଇଥିଲା। ଏଥିପାଇଁ ପ୍ରାୟ ୧,୪୩,୭୮୦ ଟଙ୍କା ବ୍ୟୟ ହୋଇଥିବା ସତ୍ତ୍ୱେ ବର୍ଷେ ନପୂରୁଣୁ ରାସ୍ତା କାଦୁଅରେ ପରିଣତ ହେଉଥିବାରୁ କାମର ଗୁଣବତ୍ତା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ରାସ୍ତା ନିର୍ମାଣରେ ଆବଶ୍ୟକ ମୁରୁମ ପରିବର୍ତ୍ତେ ଲାଲ ମାଟି ବ୍ୟବହାର କରାଯାଇଥିବାରୁ ବର୍ଷା ହେଲେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି ଏବଂ ଯାତାୟାତ ବ୍ୟାପକ ଭାବେ ବାଧାପ୍ରାପ୍ତ ହେଉଛି। ଏହି ରାସ୍ତା ଉପରେ ଗ୍ରାମବାସୀଙ୍କ ଦୈନନ୍ଦିନ ଯାତାୟାତ ସହ ସ୍କୁଲ, ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟସେବା ନିର୍ଭର କରୁଥିବାରୁ ବୃଦ୍ଧ, ଶିଶୁ ଓ ରୋଗୀମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ କହିଛନ୍ତି। ଗ୍ରାମବାସୀଙ୍କ ଦାବି, ସମ୍ପୃକ୍ତ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ରାସ୍ତାର ଗୁଣବତ୍ତା ଯାଞ୍ଚ କରୁ ଏବଂ ଆବଶ୍ୟକ ମରାମତି କାମ ହାତକୁ ନିଅନ୍ତୁ। ତଦନ୍ତରେ ଅନିୟମିତତା ପ୍ରମାଣିତ ହେଲେ ସମ୍ପୃକ୍ତ ଠିକାଦାର ଓ ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ ବୋଲି ମଙ୍ଗୁଲୁ ସାନ୍ତା, ବନ ସାନ୍ତା, ରାମ ସାନ୍ତା, ବଳି ସାନ୍ତା, ଚିତ୍ର ସାନ୍ତା, ସାଲୁ ସାନ୍ତା, ଗୋବି ସାନ୍ତାଙ୍କ ସମେତ ଝାରବନ୍ଧ ଗ୍ରାମବାସୀ ଦାବି କରିଛନ୍ତି।