Hot Posts

6/recent/ticker-posts

ସରପ୍ଲସ ନିର୍ମାଣରେ ଅନିୟମିତତା ଅଭିଯୋଗ, ଚିନ୍ତାରେ ଚାଷୀ

ସିନାପାଲି, ୨୪/୦୭ ( ପରମେଶ୍ୱର ମେହେର ) : ସିନାପାଲି ବ୍ଲକର ଘାଟମାଲ ଗ୍ରାମରେ ନିର୍ମାଣାଧୀନ ସରପ୍ଲସ କାମରେ ଅନିୟମିତତା ଓ ଅହେତୁକ ବିଳମ୍ବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ପ୍ରକାଶ ପାଇଛି। ସମୟ ମଧ୍ୟରେ କାମ ଶେଷ ନହେଲେ ପ୍ରାୟ ୨୦୦ ହେକ୍ଟର ଚାଷଜମି ପ୍ରଭାବିତ ହେବା ଆଶଙ୍କା କରିଛନ୍ତି ସ୍ଥାନୀୟ ଚାଷୀ। ସୂଚନା ଅନୁଯାୟୀ, ଘାଟମାଲସ୍ଥିତ ଆଡିକା ବନ୍ଧର ଉନ୍ନତିକରଣ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ବନ୍ଧର ଉନ୍ନତିକରଣ ପରେ ବର୍ତ୍ତମାନ ସରପ୍ଲସ ନିର୍ମାଣ କାମ ଚାଲିଥିବା ବେଳେ ଏଥିରେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବିଭାଗୀୟ ଯନ୍ତ୍ରୀଙ୍କ ତଦାରଖ ଅଭାବରୁ ବିନା ବେଡ୍‌ରେ ସରପ୍ଲସ ୱାଲ୍ ନିର୍ମାଣ କରାଯାଉଛି। ନିର୍ଦ୍ଧାରିତ ଅନୁପାତରେ କଂକ୍ରିଟ ଓ ଲୁହାଛଡ଼ ବ୍ୟବହାର କରାଯାଉନଥିବାରୁ ନିର୍ମାଣ କାର୍ଯ୍ୟର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିଛି। ବର୍ଷା ଋତୁ ଚାଲିଥିବା ବେଳେ କାମରେ ବିଳମ୍ବ ହେଉଥିବାରୁ ଚାଷୀମାନଙ୍କ ଚିନ୍ତା ବଢ଼ିଛି। ବନ୍ଧର ହୁଡ଼ା ଭଙ୍ଗାଯାଇଥିବାରୁ ଚଳିତ ବର୍ଷ ଚାଷଜମିକୁ ଆବଶ୍ୟକ ପାଣି ଯୋଗାଣ ବାଧାପ୍ରାପ୍ତ ହେବା ସହ ପ୍ରାୟ ୨୦୦ ହେକ୍ଟର ଜମି ପ୍ରଭାବିତ ହୋଇପାରେ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି। ସ୍ଥାନୀୟ ଚାଷୀ ପରମାନନ୍ଦ ଚିନ୍ଦା, କହଲ ସାଏ ମାଝି, ରେନୁ ମାଝି, ମଙ୍ଗଳ ମାଝି, ସୁନ୍ଦରଲାଲ ମାଝି, ଟିକେସୁନ୍ଦର ଚିନ୍ଦା ଓ ତୃପନ ମାଝି ପ୍ରମୁଖ ତୁରନ୍ତ କାମ ଶେଷ କରିବାକୁ ଦାବି କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ କିଶୋର କିଷାନ କହିଛନ୍ତି ଯେ, କାମ ଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।