Hot Posts

6/recent/ticker-posts

ପୋଲ ନାହିଁ, ନଦୀ ପାରି ହୋଇ ଶେଷ ଯାତ୍ରା

ଝରୀଗାଁ, ୨୭/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତର ଆମାମୁଣ୍ଡା ଗ୍ରାମରେ ମୌଳିକ ସୁବିଧାର ଅଭାବ ଯୋଗୁଁ ଗ୍ରାମବାସୀ ଦୀର୍ଘଦିନ ଧରି ନାନା ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଗ୍ରାମରେ ଶ୍ମଶାନ ନଥିବାରୁ ମୃତଦେହ ସତ୍କାର ପାଇଁ ପ୍ରାୟ ଦେଢ଼ କିଲୋମିଟର ଦୂରକୁ ଯିବାକୁ ପଡ଼ୁଛି। ଏହାର ମଝିରେ ଥିବା ନଦୀ ଅତିକ୍ରମ କରିବାକୁ ହେଉଥିବାରୁ ଗ୍ରାମବାସୀମାନେ ଶବକୁ କାନ୍ଧରେ ବୋହି ପାଣି ଭିତରେ ଯିବାକୁ ବାଧ୍ୟ ହେଉଛନ୍ତି। ସୋମବାର କୁମର ସାନ୍ତାଙ୍କ ସ୍ତ୍ରୀଙ୍କ ପରଲୋକ ପରେ ଶବ ସତ୍କାର ପାଇଁ ଗ୍ରାମବାସୀମାନେ ଆଣ୍ଠୁଏରୁ ଅଧିକ ପାଣି ଥିବା ନଦୀ ପାର୍ କରିଥିଲେ। ବର୍ଷା ଋତୁରେ ନଦୀର ଜଳସ୍ତର ବଢ଼ିଯାଉଥିବାରୁ ଏହି କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ଓ କଷ୍ଟସାଧ୍ୟ ହୋଇପଡ଼ୁଛି। ଫଳରେ ପ୍ରତ୍ୟେକ ଶବ ସତ୍କାର ସମୟରେ ଗ୍ରାମବାସୀଙ୍କୁ ଜୀବନକୁ ବାଜି ଲଗାଇ ନଦୀ ପାର୍ ହେବାକୁ ପଡ଼ୁଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଉକ୍ତ ନଦୀ ଉପରେ ଏକ ସ୍ଥାୟୀ ବ୍ରିଜ ନିର୍ମାଣ ହେଲେ କେବଳ ଶବ ସତ୍କାର ସମସ୍ୟାର ସମାଧାନ ହେବ ନାହିଁ, ବରଂ ଦୈନନ୍ଦିନ ଯାତାୟାତ, ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯାତାୟାତ ଓ ରୋଗୀଙ୍କୁ ହସ୍ପିଟାଲକୁ ନେବାରେ ମଧ୍ୟ ବହୁତ ସୁବିଧା ହେବ। ଏହି ବ୍ରିଜ ନିର୍ମାଣ ହେଲେ ଆମାମୁଣ୍ଡା ଓ କେନ୍ଦୁଗୁଡ଼ା ଗ୍ରାମ ମଧ୍ୟରେ ସିଧାସଳଖ ସଂଯୋଗ ସ୍ଥାପନ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ତେଣୁ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିମାନେ ତୁରନ୍ତ ପଦକ୍ଷେପ ନେଇ ନଦୀ ଉପରେ ସ୍ଥାୟୀ ବ୍ରିଜ ନିର୍ମାଣ କରିବାକୁ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି। ଏହି ଦାବିକୁ କୁଶ ସାନ୍ତା, କୁମର ସାନ୍ତା, ମାଳି ସାନ୍ତା, ଶିବ ସାନ୍ତା, ତୁବଲ ସାନ୍ତା, କଇନ ସାନ୍ତା, ସୁବା ସାନ୍ତାଙ୍କ ସମେତ ଗ୍ରାମର ବହୁ ବାସିନ୍ଦା ସମର୍ଥନ କରିଥିବା ବେଳେ, ସମସ୍ୟାର ଶୀଘ୍ର ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।