କୋରାପୁଟ, ୨୩/୦୭ ( ସୁରେନ୍ଦ୍ର ଖୋସଲା ) : ଦେଶବ୍ୟାପୀ ଭାବେ ଚର୍ଚ୍ଚାର ବିଷୟ ପାଲଟିଥିବା NEET ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବା ଯୁବକ-ଯୁବତୀଙ୍କ ଉପରେ ଦିଲ୍ଲୀ ପୋଲିସଙ୍କ କଥିତ ଲାଠିଚାର୍ଜକୁ ବିରୋଧ କରି କୋରାପୁଟ ସହରରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଛି। ଦେଶର ଯୁବ ସଂଗଠନ CJPଙ୍କ ଆହ୍ୱାନକୁ ସମର୍ଥନ ଜଣାଇ କୋରାପୁଟର ଶିକ୍ଷିତ ଯୁବକ-ଯୁବତୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନସାଧାରଣ ଏକାଠି ହୋଇ ନ୍ୟାୟ ଓ ସ୍ୱଚ୍ଛ ପରୀକ୍ଷା ବ୍ୟବସ୍ଥାର ଦାବି ଉଠାଇଥିଲେ। ବିକ୍ଷୋଭକାରୀମାନେ ହାତରେ ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ବନ୍ଦ କରିବାକୁ ଦାବି କରିଥିଲେ। ଏହି ରାଲି କୋରାପୁଟ ବସଷ୍ଟାଣ୍ଡରୁ ବାହାରି ସହରର ପ୍ରମୁଖ ରାସ୍ତା ଦେଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା। ସେଠାରେ ପ୍ରତିନିଧିମଣ୍ଡଳ ଜିଲ୍ଲାପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିକ୍ଷୋଭରେ ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ଦେଶର କୋଟି କୋଟି ପରିଶ୍ରମୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଅନିୟମିତତା କେବେ ବି ସହ୍ୟ କରାଯିବ ନାହିଁ। ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ସମ୍ମାନ ଦେବାକୁ ସେମାନେ ଦାବି କରିଥିଲେ। ଏହି ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ବହୁ ସଂଖ୍ୟକ ଯୁବକ-ଯୁବତୀ, ଛାତ୍ରଛାତ୍ରୀ ଓ ସଚେତନ ନାଗରିକ ଯୋଗଦେଇ ଗଣତାନ୍ତ୍ରିକ ଅଧିକାର ଓ ଛାତ୍ର ସ୍ୱାର୍ଥ ସୁରକ୍ଷା ପାଇଁ ନିଜ ସମର୍ଥନ ପ୍ରକାଶ କରିଥିଲେ।
କୋରାପୁଟ ରୁ ସୁରେନ୍ଦ୍ର ଖୋସଲାଙ୍କ ରିପୋର୍ଟ ।

