Hot Posts

6/recent/ticker-posts

ପୁରୁଣାପଡ଼ା ଶ୍ମଶାନକୁ ଆଦର୍ଶ ରୂପ ଦେବାକୁ ଜାରି ରହିଛି ସ୍ୱେଚ୍ଛାସେବୀଙ୍କ ପ୍ରୟାସ

ଭବାନୀପାଟଣା, ୨୮/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପୌରାଞ୍ଚଳର ପୁରୁଣାପଡ଼ା ଶ୍ମଶାନ ସୁରକ୍ଷା ସମିତି ପକ୍ଷରୁ ୧୪ତମ ସାପ୍ତାହିକ ସଫେଇ କାର୍ଯ୍ୟକ୍ରମ ଓ ବୈଠକ ଅନୁଷ୍ଠିତ ହୋଇଛି। ଶ୍ମଶାନର ସୁରକ୍ଷା, ସ୍ୱଚ୍ଛତା ଏବଂ ଉନ୍ନତି ପାଇଁ ସମିତିର ସଦସ୍ୟମାନେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଭବାନୀପାଟଣା ମୁନିସିପାଲିଟିର ୧୫ ନମ୍ବର ୱାର୍ଡ ଅନ୍ତର୍ଗତ ସମ୍ଭୁନଗର ପଡ଼ା ସ୍ଥିତ ପୁରୁଣାପଡ଼ା ଶ୍ମଶାନ ପରିସରରେ ଶ୍ମଶାନ ସୁରକ୍ଷା ସମିତି ପକ୍ଷରୁ ଚତୁର୍ଦ୍ଦଶ ସାପ୍ତାହିକ ବୈଠକ ଇଂ. ନିରଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକ ପୂର୍ବରୁ ସଦସ୍ୟମାନେ ଶ୍ମଶାନ ପରିସରରେ ସଫେଇ କାର୍ଯ୍ୟ କରିଥିଲେ। ଗତ ୧୪ ସପ୍ତାହ ଧରି ପ୍ରତ୍ୟେକ ରବିବାର ନିୟମିତ ଭାବେ ସଫେଇ ଓ ବୈଠକ ଆୟୋଜନ ଫଳରେ ଶ୍ମଶାନ ପରିସରରେ ଅନୈତିକ କାର୍ଯ୍ୟକଳାପ ଏବଂ ନିଶା ସେବନ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବା ସମିତି ପକ୍ଷରୁ କୁହାଯାଇଛି। ବୈଠକରେ ଆସନ୍ତା ୫ ଜୁଲାଇ ରବିବାର ବନମହୋତ୍ସବ ପାଳନ ଅବସରରେ ଶ୍ମଶାନ ପରିସରରେ ୫୦ଟି ଔଷଧୀୟ ଚାରାରୋପଣ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହ ଶ୍ମଶାନକୁ ଏକ ଆଦର୍ଶ ଶ୍ମଶାନରେ ପରିଣତ କରିବା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀଧର ପଲେଇ, ସୀତାକାନ୍ତ ପ୍ରଧାନ, କାଳୀ ପ୍ରସାଦ ଡାକୁଆ, ଦୁଃଖୀଶ୍ୟାମ ପ୍ରଧାନ, କମ୍ବୁପାଣି ପରିଛା, ଡିଲେଶ କୁମାର ପ୍ରଧାନ, ଲକ୍ଷ୍ମୀନାରାୟଣ ପଣ୍ଡା, ସନ୍ତୋଷ କୁମାର ପ୍ରଧାନ, ଭବାନୀ ଶଙ୍କର ପରିଛା, ରବୀନ୍ଦ୍ରନାଥ ପଣ୍ଡା, ଗୋପାଳ ମହାରଣା, ନୀଳମଣି ରଣା, ହରିହର ଦାସ, ରବୀନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ, ଭବାନୀପାଟଣା।