Hot Posts

6/recent/ticker-posts

ସିଂହପୁରରେ ସୁରଭି ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ : ଶତାଧିକ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ

ବିଞ୍ଝାରପୁର, ୨୧/୦୬ (ପ୍ରଦୀପ କୁମାର ମଲ୍ଲିକ) : ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ସୁରଭି, ବିଞ୍ଝାରପୁର” ତରଫରୁ ଆଜି ପବିତ୍ର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସିଂହପୁର ଗ୍ରାମସ୍ଥିତ କାକୁଡି ପଡିଆ, ସିଂହପୁର ଠାରେ ଏକ ଭବ୍ୟ ଯୋଗ ଶିବିର ଓ ବୈଦିକ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଟାରୁ ୮.୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଶତାଧିକ ଯୋଗପ୍ରେମୀ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ବାସିନ୍ଦା ଅଂଶଗ୍ରହଣ କରିଥିଲେ। ଯୋଗ ଶିବିରକୁ ବିଶିଷ୍ଟ ଯୋଗାଚାର୍ଯ୍ୟ ଗୌରିଶ୍ୟାମ ଦାସ ଓ ରଞ୍ଜିତ ମହାପାତ୍ର ପରିଚାଳନା କରିଥିଲେ। ସେମାନେ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନର ଉପକାରିତା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଯୋଗ କେବଳ ଶରୀରକୁ ସୁସ୍ଥ ରଖିବାର ମାଧ୍ୟମ ନୁହେଁ, ବରଂ ମନ ଓ ଆତ୍ମାର ସମନ୍ୱୟ ସାଧନ କରିବାର ଏକ ଉତ୍କୃଷ୍ଟ ପଥ ବୋଲି ସେମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଆୟୋଜିତ ବୈଦିକ ଯଜ୍ଞରେ ଦୈନିକ ଅଗ୍ନିହୋତ୍ରୀ ଶଶୀଭୂଷଣ ନାୟକ ମୁଖ୍ୟ ପୁରୋହିତ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କୁ ସହଯୋଗ କରିଥିଲେ ଗୁରୁକୁଳର ବ୍ରହ୍ମଚାରୀ ରୁଦ୍ର ପ୍ରସାଦ ମଲ୍ଲିକ, ଅଗ୍ନିବେଶ ମଲ୍ଲିକ ଏବଂ ହିମାଂଶୁ ବଳିୟାର ସିଂହ। ଯଜ୍ଞ ମାଧ୍ୟମରେ ବିଶ୍ୱ ଶାନ୍ତି, ସମାଜର କଲ୍ୟାଣ ଓ ମାନବଜାତିର ସୁସ୍ଥତା କାମନା କରାଯାଇଥିଲା। ସୁରଭିର ସଭାପତି ନିର୍ମଳ ଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏଥିରେ ମନୋଜ କୁମାର ଜେନା, ଶରତ ଚନ୍ଦ୍ର ପୃଷ୍ଟି, ବିରଞ୍ଚି ସାହୁ, ସଞ୍ଜୟ ମିଶ୍ର, ବିକ୍ରମ ଧଳ, ରାମନାରାୟଣ ବଳିୟାର ସିଂହ, ମକର ସେଠୀ, ହରେକୃଷ୍ଣ ପଣ୍ଡା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ବବିତା ମଲ୍ଲିକ, ଜିଲ୍ଲା ବିଜେପି ଉପସଭାପତି ପ୍ରଭାତୀ ସାହୁ, ବିଜେପି ମଣ୍ଡଳ ସଂଯୋଜକ ନିରଞ୍ଜନ ବେଉରିଆ, ସିଂହପୁର ବିଜେପି ମଣ୍ଡଳ ସଭାପତି ଶ୍ରୀଧର ଜେନା, ସୁବାଷ ଚନ୍ଦ୍ର ପ୍ରଧାନ, ଅକ୍ଷୟ ସାମଲ ଏବଂ ଜଜୟ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ। ଅତିଥିମାନେ ନିଜ ଉଦବୋଧନରେ କହିଥିଲେ ଯେ, ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଯୋଗ ହେଉଛି ସୁସ୍ଥ ଜୀବନର ଚାବିକାଠି। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶାରୀରିକ ସୁସ୍ଥତା ସହ ମାନସିକ ସ୍ଥିରତା, ଏକାଗ୍ରତା ଓ ଆତ୍ମବିଶ୍ୱାସ ବୃଦ୍ଧି ପାଏ। ସେମାନେ ଯୁବପିଢ଼ିଙ୍କୁ ନିୟମିତ ଯୋଗାଭ୍ୟାସ କରିବା ଓ ସୁସ୍ଥ ସମାଜ ଗଠନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଶେଷରେ ସୁରଭି ପକ୍ଷରୁ ସମସ୍ତ ଅତିଥି, ଯୋଗାଚାର୍ଯ୍ୟ, ସ୍ୱେଚ୍ଛାସେବୀ ଓ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜଣାଯାଇଥିଲା। ଯୋଗ, ଯଜ୍ଞ ଓ ସାମାଜିକ ସଚେତନତାର ସୁନ୍ଦର ସମନ୍ୱୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସିଂହପୁର ଅଞ୍ଚଳରେ ଏକ ସକାରାତ୍ମକ ଓ ପ୍ରେରଣାଦାୟକ ପରିବେଶ ସୃଷ୍ଟି କରିଥିଲା।