Hot Posts

6/recent/ticker-posts

ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ବୈଠକ: ଆର୍ଥିକ ଅନିୟମିତତା ରୋକିବା ଓ ଓଏସ୍‌ୱାସ୍‌ ବ୍ୟବସ୍ଥା ସୁଦୃଢ଼ୀକରଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

ନୂଆପଡ଼ା, ୨୪/୦୬ ( ପରମେଶ୍ୱର ମେହେର ) : ଜିଲ୍ଲାର ସାମଗ୍ରିକ ଉନ୍ନୟନକୁ ତ୍ୱରାନ୍ୱିତ କରିବା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି ଉଦ୍ଦେଶ୍ୟରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ୨୧ତମ ଜିଲ୍ଲା ଉନ୍ନୟନ ସମିତି (ଡିଡିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଡିଏଫଓ (ବନ୍ୟଜନ୍ତୁ) ସମୀର ସାହୁ, ଡିଏଫଓ (ପ୍ରାନ୍ତୀୟ) ଅଜିଜ୍ ଖାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଦ୍ୱାରିକାନାଥ ଶତପଥୀଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଉପ-ନିର୍ଦ୍ଦେଶକ (ପରିସଂଖ୍ୟାନ) ଦିଲେଶ୍ୱର ଧରୁଆ ପୂର୍ବ ବୈଠକର କାର୍ଯ୍ୟବିବରଣୀ ଉପସ୍ଥାପନ କରିଥିଲେ। ପରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଗତ ମାସର କାର୍ଯ୍ୟଦକ୍ଷତା, ଅଗ୍ରଗତି, ସମସ୍ୟା ଓ ସମାଧାନ ନେଇ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ସମସ୍ତ ବିଭାଗକୁ ସରକାରଙ୍କ ବଦଳି ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆର୍ଥିକ ଅନିୟମିତତା ଓ ଠକେଇ ରୋକିବା ପାଇଁ ଆହରଣ ଓ ବିତରଣ କର୍ତ୍ତୃପକ୍ଷ (Drawing and Disbursing Authority) ମାନଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ସମ୍ପତ୍ତି ପଞ୍ଜିକରଣ (ଆସେଟ୍ ରେଜିଷ୍ଟର) ନିୟମିତ ଭାବେ ସଂରକ୍ଷଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ବିଡିଓମାନଙ୍କୁ ନଳକୂପ ମରାମତି ପାଇଁ ବ୍ୟବହୃତ ଯନ୍ତ୍ରାଂଶର ମହଜୁଦ ସାମଗ୍ରୀ ଯାଞ୍ଚ କରି ମିଥ୍ୟା ଉପଯୋଗ ଦର୍ଶାଇବାକୁ ରୋକିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଓଏସ୍‌ୱାସ୍‌ (OSWAS) ମାଧ୍ୟମରେ ଫାଇଲ୍ ଆଦାନ-ପ୍ରଦାନରେ ଉନ୍ନତି ହୋଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ଆସନ୍ତା ଜୁଲାଇ ମାସ ସୁଦ୍ଧା ସମସ୍ତ ଫାଇଲ୍ ଓଏସ୍‌ୱାସ୍‌ ମାଧ୍ୟମରେ ପରିଚାଳିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂଚନା ଦେଇଥିଲେ ଯେ ଗ୍ରାମ ପଞ୍ଚାୟତ ଭବନଗୁଡ଼ିକର ଜମି ବନ୍ଦୋବସ୍ତ ପାଇଁ ୩୬ଟି ପ୍ରସ୍ତାବ ଦାଖଲ ହୋଇଛି। ସେହିପରି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ବନ୍ଦୋବସ୍ତ ପ୍ରକ୍ରିୟା ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୂଚନା ଦେଇଥିଲେ ଯେ ୭୦ ବର୍ଷ ଓ ତଦୁର୍ଦ୍ଧ୍ୱ ପେନସନଭୋଗୀଙ୍କ ସର୍ଭେ କାର୍ଯ୍ୟ ୭୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ କାର୍ଯ୍ୟ ୧୫ ଦିନ ମଧ୍ୟରେ ସମାପ୍ତ କରିବାକୁ ଏବଂ ଏହାର ତଦାରଖ ଉପଜିଲ୍ଲାପାଳମାନେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଶେଷରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସର୍ଗୀକୃତ ମନୋଭାବ ସହ କାର୍ଯ୍ୟ କରି ଜିଲ୍ଲାକୁ ଉନ୍ନୟନର ନୂତନ ଦିଗରେ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଗ୍ରାମୋଦୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଡିଏଫଓ (ପ୍ରାନ୍ତୀୟ) ଅଜିଜ୍ ଖାନ, ଡା. ଦ୍ୱାରିକାନାଥ ଶତପଥୀ, ଏପିଡି କ୍ଷମାନିଧି ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।