ପଞ୍ଚାୟତବାସୀଙ୍କ ସହ ରଜ ପାଳିଲେ ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼
ଝରିଗାଁ, ୧୫/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧମନାଗୁଡ଼ା ପଞ୍ଚାୟତର ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼ ନିଜର ସକ୍ରିୟ ଜନସମ୍ପର୍କ ଓ ସାମାଜିକ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ, ଚଳିତ ବର୍ଷର ରଜ ମହୋତ୍ସବ ଅବସରରେ ମଧ୍ୟ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ରଜ ହେଉଛି ଓଡ଼ିଶାର ଏକ ପ୍ରମୁଖ କୃଷିଭିତ୍ତିକ ଲୋକପର୍ବ। ଜୈଷ୍ଠ ମାସର ଶେଷ ଓ ଆଷାଢ଼ ମାସର ଆରମ୍ଭରେ ପାଳିତ ଏହି ପର୍ବ ମହିଳାମାନଙ୍କ ସମ୍ମାନ ଏବଂ ବସୁମତୀଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ। ଚାରି ଦିନ ଧରି ମହିଳାମାନେ ଦୋଳି ଖେଳିବା, ନୂତନ ବସ୍ତ୍ର ପରିଧାନ, ପାଦରେ ଅଳତା ଲଗାଇବା, ପୋଡ଼ପିଠା, ମଣ୍ଡାପିଠା ସହ ବିଭିନ୍ନ ପାରମ୍ପରିକ ଖାଦ୍ୟ ଓ ମିଠା ପାନର ଆନନ୍ଦ ନେଇଥାନ୍ତି। ଅନ୍ୟପକ୍ଷରେ ଚାଷୀମାନେ ମଧ୍ୟ କୃଷି କାର୍ଯ୍ୟରୁ ବିରତି ନେଇ ତାସ, ଚେସ୍ ଓ କବାଡ଼ି ଭଳି ଖେଳରେ ସମୟ ଅତିବାହିତ କରନ୍ତି। ଏହି ଅବସରରେ ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସାଧାରଣ ଲୋକଙ୍କ ସହ ରଜର ଆନନ୍ଦ ବାଣ୍ଟିଥିଲେ। ବିଶେଷକରି ଧରାନାବେଡା ଓ ଟୁଟିଗୁଡ଼ା ଗ୍ରାମରେ କୁମାରୀ ଯୁବତୀ ଓ ନବବଧୂମାନଙ୍କ ସହ ଦୋଳି ଖେଳି ରଜ ଉତ୍ସବରେ ସାମିଲ ହେବା ସହ ଗ୍ରାମବାସୀଙ୍କ ସୁଖଦୁଃଖ, ସମସ୍ୟା ଓ ଗ୍ରାମର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ୱାର୍ଡ ସଦସ୍ୟ ବଳିରାମ ଭତରା, ଭଗବାନ ଭତରା, ସୁବାଷ ଭତରା, ପରମା ଭତରା, ଟିକଚାନ୍ଦ ଭତରା ଓ ଲକ୍ଷ୍ମଣ ଭତରାଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ସମସ୍ତେ ମିଳିତ ଭାବେ ରଜ ଉତ୍ସବ ପାଳନ କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ