ଫାଇନାଲରେ ଚମତ୍କାର ପ୍ରଦର୍ଶନ, ଗୋରାମ୍ବା ହାତେ ଚାମ୍ପିଅନ୍ ଟ୍ରଫି
ଝରୀଗାଁ, ୧୭/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ମହଣ୍ଡି ଗ୍ରାମରେ ଆୟୋଜିତ ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୮ ଦିନ ଧରି ଚାଲିବା ପରେ ଉଦ୍ଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଅଞ୍ଚଳର ବିଭିନ୍ନ ଗ୍ରାମର କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ଗୋରାମ୍ବା ଓ ଷଣ୍ଡସା ଦଳ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ଷଣ୍ଡସା ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭୫ ରନ୍ ସଂଗ୍ରହ କରିଥିଲା। ଜବାବରେ ଗୋରାମ୍ବା ଦଳ ୨ ୱିକେଟ୍ ହରାଇ ଚାମ୍ପିଅନ୍ ହୋଇଥିଲା। ଷଣ୍ଡସା ଦଳ ରନର୍ସଅପ୍ ହୋଇଥିଲା। ଫାଇନାଲ ମ୍ୟାଚ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ କ୍ରିକେଟପ୍ରେମୀ ଓ ଦର୍ଶକ ଉପସ୍ଥିତ ଥିଲେ। ଖେଳାଳିମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ ଯୋଗାଇଥିଲା। ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନରସିଂହ ଭତ୍ରା ଏବଂ ବିଧାୟକ ପ୍ରତିନିଧି ଗଣପତି ସାହୁ ଯୋଗଦେଇଥିଲେ। ସେମାନେ ବିଜେତା ଗୋରାମ୍ବା ଦଳକୁ ୧୦,୦୦୦ ଟଙ୍କା ନଗଦ ସହ ଟ୍ରଫି ଏବଂ ରନର୍ସଅପ୍ ଷଣ୍ଡସା ଦଳକୁ ୭,୦୦୦ ଟଙ୍କା ନଗଦ ସହ ଟ୍ରଫି ପ୍ରଦାନ କରିଥିଲେ। ଗ୍ରାମର ଯୁବକମାନଙ୍କ ଉଦ୍ୟମରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ଛବି, ପଦନ, କୁଷ୍ଟ, ରଞ୍ଜନ ଓ ସପନଙ୍କ ସମେତ ଅନ୍ୟାନ୍ୟ ଯୁବକମାନେ ସକ୍ରିୟ ସହଯୋଗ କରିଥିଲେ। ସେମାନଙ୍କ ଉଦ୍ୟମ ଓ ସହଯୋଗ ପାଇଁ ଟୁର୍ଣ୍ଣାମେଣ୍ଟଟି ସୁଚାରୁରୂପେ ସମ୍ପନ୍ନ ହୋଇପାରିଥିଲା। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅଞ୍ଚଳରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବା ସହିତ ଯୁବପିଢ଼ିଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସଦ୍ଭାବନାର ବାର୍ତ୍ତା ପ୍ରସାର କରିଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି