କୋକସରା ଡାଲଗୁମାରେ ଚାଞ୍ଚଲ୍ୟକର ଘଟଣାରକ୍ତାକ୍ତ ଅବସ୍ଥାରେ ଦ୍ୱାର ମୁହଁରୁ ମୃତଦେହ ଠାବ, ହତ୍ୟା ଅଭିଯୋଗ
କୋକସରା, ୨୯/୦୬ ( ରିତେଶ କୁମାର ମୁଣ୍ଡ ) : କୋକସରାରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଡାଲଗୁମା ଧାନ ମଣ୍ଡି ପାଖରେ ଥିବା ଘର ନିକଟରେ ଶୋଇଥିବା ବେଳେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି। ମୃତକ ଜଣକ ହେଲେ ଡାଲଗୁମା ଗାଁର ସୁକଦେବ ଧରୁଆ। ସେ ଗାଁ ମୁଣ୍ଡ ବଗିଚାରେ ଜଗୁଆଳି ଭାବେ କାମ କରୁଥିଲେ। ସକାଳୁ ସେ ଘରକୁ ନଫେରିବାରୁ, ତାଙ୍କ ଝିଅ ବଗିଚାକୁ ଯାଇ ବାପାଙ୍କ ଖଟିଆ ଉପରେ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସିଧାସଳଖ ଅଭିଯୋଗ ଆଣିଛନ୍ତି। ତାଙ୍କୁ ଟେକିନେଇ କେଉଁଠାରେ ହତ୍ୟା କରିବାପରେ ପୁଣି ଖଟିଆରେ ଆଣି ସୁଆଇ ଦେଇଥିବା ତାଙ୍କ ଝିଅ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ କୋକସରା ଥାନା ପୋଲିସ ପ୍ରାଥମିକ ତଦନ୍ତ ଜାରି ରଖିଥିବାବେଳେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ଷିତା ଆଡେପୁ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି। ଏଣେ ସାଇଣ୍ଟିଫିକ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିବା ସହ ଜଣଙ୍କୁ ସନ୍ଦେହରେ ଅଟକ ରଖିଥିବା ଜଣାପଡିଛି।