କଳାହାଣ୍ଡି ଜିଲ୍ଲା "ଦିଶା" ବୈଠକ: ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ସାଂସଦ ମାଳବିକା ଦେବୀ
କଳାହାଣ୍ଡି, ୩୦/୦୬ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ଉନ୍ନୟନ ସମନ୍ଵୟ ଏବଂ ପର୍ଯ୍ୟାଲୋଚନା ସମିତି ("ଦିଶା")ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଓ ସଫଳତା ଉପରେ ବ୍ୟାପକ ସମୀକ୍ଷା କରାଯାଇଛି।ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଆଲୋଚନା ପାଇଁ କମିଟିର ଅଧ୍ୟକ୍ଷା ସାଂସଦ ଶ୍ରୀମତୀ ଦେବୀଙ୍କୁ ଅନୁରୋଧ କରିଥିଲେ। ସାଂସଦ ଜିଲ୍ଲାର ବିକାଶ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପାନୀୟ ଜଳ, ଗମନାଗମନ, ବିଦ୍ୟୁତୀକରଣ, ଖାଦ୍ୟ ସୁରକ୍ଷା ଓ ସାମାଜିକ କଲ୍ୟାଣ ଭଳି ପ୍ରମୁଖ ବିଭାଗଗୁଡ଼ିକର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ଜନପ୍ରତିନିଧିମାନଙ୍କ ଦ୍ୱାରା ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଓ ଅଭିଯୋଗ ଉପରେ ସଠିକ୍ ତଥ୍ୟ ରଖିବା ସହ ସମସ୍ତ ସରକାରୀ ପ୍ରକଳ୍ପର ସଫଳ ରୂପାୟନ ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।ବିଶେଷ କରି ଜିଲ୍ଲାର ପ୍ରତି ଗ୍ରାମରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ତ୍ଵାରାନ୍ନିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସାଂସଦ ଆହ୍ୱାନ ଦେଇଛନ୍ତି।ଏହି ସମୀକ୍ଷା ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଉପ-ଜିଲ୍ଲାପାଳ (ଭବାନୀପାଟଣା) ପ୍ରଭାତ କୁମାର ପରିଡା, ଉପ-ନିର୍ଦ୍ଦେଶକ (ପ୍ଲାନିଂ) ଶ୍ରୀକାନ୍ତ ଦଳାଇ, ଗୋଲାମୁଣ୍ଡା ବ୍ଲକ ଅଧକ୍ଷ୍ୟ ବିନ୍ଦୁ ମହାନନ୍ଦଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ, ସହରାଞ୍ଚଳ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ସରକାରୀ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପାଢି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ