ହିଟ୍ ଆଣ୍ଡ ରନ୍ ମାମଲା ୪ମାସ ପରେ ଅଭିଯୁକ୍ତ ଗିରଫ
କଟକ, ୨୭/୦୬ ( କାହୁଁ ଚରଣ ବାରିକ ) : ଟାଙ୍ଗୀ ପୋଲିସ ଏକ ହିଟ୍ ଆଣ୍ଡ ରନ୍ ମାମଲାର ସଫଳ ତଦନ୍ତ କରି ଘଟଣାର ଅଭିଯୁକ୍ତଙ୍କୁ ୪ମାସ ପରେ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ରସୁଲଗଡ଼ ଅଞ୍ଚଳର ବାସିନ୍ଦା ଗାଡ଼ିର ଚାଳକ ତଥା ମାଲିକ ସଞ୍ଜୟ କୁମାର ସାହୁ(୪୯)। ଅଭିଯୁକ୍ତଙ୍କ ନିକଟରୁ ଦୁର୍ଘଟଣାଗ୍ରସ୍ତ କାର, ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୫ ତାରିଖ ରାତି ପ୍ରାୟ ୨ଟା ୪୦ ମିନିଟ୍ ସମୟରେ ଟାଙ୍ଗୀ ବସ୍ଷ୍ଟାଣ୍ଡ ଛକ ନିକଟରେ ଜାତୀୟ ରାଜପଥ-୧୬ ଅତିକ୍ରମ କରୁଥିବା ବେଳେ ଡ୍ରିମ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ର ସୌମ୍ୟ ରଞ୍ଜନ ସେନାପତି(୧୮)ଙ୍କୁ ଏକ ଧଳା ରଙ୍ଗର କାର ଧକ୍କା ଦେଇ ଫେରାର ହୋଇଯାଇଥିଲା। ଏନେଇ ସୌମ୍ୟଙ୍କ ପିତା ଚିତ୍ତରଞ୍ଜନ ସେନାପତିଙ୍କ ଅଭିଯୋଗକ୍ରମେ ଟାଙ୍ଗୀ ଥାନାରେ (ମାମଲା ନଂ୧୧୨/୨୬)ରୁଜୁ ହୋଇଥିଲା। ତଦନ୍ତ ବେଳେ ପୋଲିସ ସିସିଟିଭି ଫୁଟେଜ୍ ଓ ଟୋଲ୍ ପ୍ଲାଜାର ରେକର୍ଡ ଯାଞ୍ଚ କରି ଦୁର୍ଘଟଣାଗ୍ରସ୍ତ କାରକୁ ଚିହ୍ନଟ କରିଥିଲା। ପଚରାଉଚରା ବେଳେ ସେ ଦୁର୍ଘଟଣା ଘଟାଇଥିବା ସ୍ୱୀକାର କରିଥିବା ବେଳେ ଗାଡ଼ିର ବୈଧ ବୀମା ନଥିବା ମଧ୍ୟ ତଦନ୍ତରେ ଜଣାପଡ଼ିଥିଲା। ପୋଲିସ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୧ ଓ ୧୦୬(୧) ସହ ମୋଟର ଯାନ ଆଇନର ସମ୍ପୃକ୍ତ ଧାରାରେ ଗିରଫ କରି ମାନ୍ୟବର JMFC, ଟାଙ୍ଗୀ ଅଦାଲତରେ ହାଜର କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି ।