ବିଜୁ ସ୍ୱାଭିମାନ ମଞ୍ଚର ସାଧାରଣ ସଭା, ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ
ରାୟଗଡ଼ା, ୦୩/୦୬ ( ଭି. ଗୌରି ଶଙ୍କର ରାଓ ) : ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ରାୟଗଡ଼ାରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ସଭା ଓ ରଣନୀତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ କୋଲନରା ବ୍ଲକରେ ସମାବେଶ ପରେ ଆଜି ରାୟଗଡ଼ା ବ୍ଲକର ବାକୁରୁଗୁଡ଼ା ଟାଟା ସୋ ରୁମ୍ ନିକଟ ପଡ଼ିଆରେ ବିଶାଳ ସଭା ହୋଇଥିଲା। ମଞ୍ଚର ଆବାହକ ଏନ୍. ଭାସ୍କର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବାମୁଣୀ ମିନିୟାକା, ଚନ୍ଦ୍ରକାନ୍ତ ସାମଲ, ନିରଞ୍ଜନ ପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ସଭାରେ ଗ୍ରାମସ୍ତରରେ ସଂଗଠନ ମଜବୁତ କରିବା, ଜନସମ୍ପର୍କ ବଢାଇବା ଏବଂ ଯୋଗ୍ୟ ପ୍ରାର୍ଥୀ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭାସ୍କର ରାଓ ପ୍ରତ୍ୟେକ ଗାଁ ଓ ୱାର୍ଡରେ ସକ୍ରିୟ ହୋଇ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଆଖପାଖ ପଞ୍ଚାୟତରୁ ବହୁ ସଂଖ୍ୟାରେ ଯୁବକ, ମହିଳା ଓ କର୍ମୀ ଯୋଗଦେଇ ସଂଗଠନକୁ ଶକ୍ତିଶାଳୀ କରିବା ସହ ନିର୍ବାଚନରେ ସଫଳତା ପାଇଁ ସଂକଳ୍ପ ନେଇଥିଲେ। ଏହି ସମାବେଶ ଜିଲ୍ଲାର ରାଜନୈତିକ ମାହୋଲକୁ ଅଧିକ ସରଗରମ କରିଛି।