Hot Posts

6/recent/ticker-posts

ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ମହାସମାରୋହରେ ପାଳିତ

କଳାହାଣ୍ଡି, ୦୧/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ପକ୍ଷରୁ ଆଜି ବିଶ୍ୱ ଶ୍ରମିକ ଦିବସ ଅବସରରେ ଭବାନୀପାଟଣା ଟାଉନ୍ ହଲ୍‌ରେ ପୂର୍ବାହ୍ନ ୧୦ ଘଟିକାରେ ଏକ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଯୋଗଦେଇଥିଲେ। ଏହା ସହିତ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତନ୍ମୟ କୁମାର ଦରୱାନ , ମାନ୍ୟବର ଲୋକସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ଜୟଶଙ୍କର ନାୟକ, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ଶ୍ରୀ ନରହରି ପଟ୍ଟନାଏକ ଏବଂ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ପରିମିତା ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ରଶ୍ମିତା ନାୟକ ସ୍ବାଗତ ଭାଷଣ ଦେଇ ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ। ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଜିତମ ମାଝୀ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଏହି ଶିବିରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ସମୁଦାୟ ୪୮୫ ଜଣ ଶ୍ରମିକଙ୍କୁ ମୋଟ ୪,୭୩,୪୪,୮୦୦ ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା।
ଏଥିରେ—
ବିବାହ ସହାୟତା: ୧୩୩ ଜଣଙ୍କୁ ୩,୮୩,୦୦,୦୦୦ ଟଙ୍କା
ମୃତ୍ୟୁ ସହାୟତା: ୧୨୧ ଜଣଙ୍କୁ ୬,୦୫,୦୦୦ ଟଙ୍କା
ଶିକ୍ଷା ସହାୟତା: ୧୫୫ ଜଣଙ୍କୁ ୭୭,୨୫,୦୦୦ ଟଙ୍କା
ମାତୃତ୍ୱ ସହାୟତା: ୧୯ ଜଣଙ୍କୁ ୧,୯୦,୦୦୦ ଟଙ୍କା
ଅନ୍ୟାନ୍ୟ ସହାୟତା: ୫୭ ଜଣଙ୍କୁ ୫,୨୪,୮୦୦ ଟଙ୍କା
ଏହା ସହିତ ୨୦୦ ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା। ସେହିପରି ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୧ ଜଣ ଶ୍ରମିକଙ୍କୁ ୨,୦୦,୦୦୦ ଟଙ୍କାର ମୃତ୍ୟୁ ସହାୟତା ଦିଆଯାଇଥିବା ସହ ୪୦ ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୮୦୦ ଜଣ ନିର୍ମାଣ ଓ ଅଣସଂଗଠିତ ଶ୍ରମିକ, ଟ୍ରେଡ୍‌ ୟୁନିଅନ୍‌ କର୍ମକର୍ତ୍ତା, ମିଡିଆ ପ୍ରତିନିଧି ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ