Hot Posts

6/recent/ticker-posts

ଚଳିତ ବର୍ଷର ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଝରିଗାଁ, ୧୫/୦୬ (ନକୁଳ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବିଜାପୁର ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷର ପବିତ୍ର ରଥଯାତ୍ରାକୁ ସୁଚାରୁ ଓ ସୁପରିଚାଳିତ ଭାବେ ଆୟୋଜନ କରିବା ଲକ୍ଷ୍ୟରେ ସୋମବାର ସକାଳ ପ୍ରାୟ ୯ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀଜଗନ୍ନାଥ ରଥଯାତ୍ରା ପରିଚାଳନା କମିଟିର ସଭାପତି ଚନ୍ଦ୍ରୁ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା, ଭକ୍ତିପୂର୍ଣ୍ଣ ପରିବେଶ ଓ ସମସ୍ତଙ୍କ ସହଯୋଗରେ ସଫଳ ଭାବେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ରଥ ନିର୍ମାଣ, ମନ୍ଦିର ଓ ପରିସରର ସଫେଇ, ପାନୀୟ ଜଳର ବ୍ୟବସ୍ଥା, ଭକ୍ତମାନଙ୍କ ସୁରକ୍ଷା, ଶୃଙ୍ଖଳା ରକ୍ଷା, ପ୍ରସାଦ ବଣ୍ଟନ ସହ ବିଭିନ୍ନ ପ୍ରସ୍ତୁତିମୂଳକ ବ୍ୟବସ୍ଥା ଉପରେ ସଦସ୍ୟମାନେ ନିଜ ମତାମତ ରଖିଥିଲେ। ରଥଯାତ୍ରାକୁ ସଫଳ କରିବା ପାଇଁ ପ୍ରତ୍ୟେକ ଦାୟିତ୍ୱ ସୁଚାରୁ ଭାବେ ବଣ୍ଟନ କରାଯିବା ସହ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରାଯାଇଥିଲା। ଏହି ବୈଠକରେ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ସମ୍ପାଦକ ଅଚ୍ୟୁତ ମାଝୀ, ଖଗପତି ମାଝୀ, ବୁଡୁରାମ ଭତରା, ସରାଦୁ ଭତରା, ନରେନ୍ଦ୍ର ମାଝୀଙ୍କ ସମେତ ମୁଖ୍ୟ ଅତିଥି ରଇନୁ ମାଝୀ, ସୁତମ୍ ମାଝୀ, ଡମ୍ବରୁ ନାୟକ, ରବିସିଂ ମାଝୀ, ହରିଚନ୍ଦ୍ର ମାଝୀ, ୱାର୍ଡ ସଦସ୍ୟ ସନାତନ ମାଝୀ ଓ ପିତାମ୍ବର ଭତରା, ରଘୁନାଥ କୁମ୍ଭାର, ନକୁଳ କଳାର, ମନସିଂ ଭତରାଙ୍କ ସମେତ ବହୁ ଭଦ୍ରବ୍ୟକ୍ତି, ବୁଦ୍ଧିଜୀବୀ, ସମାଜସେବୀ ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଶେଷରେ ସମସ୍ତେ ପରସ୍ପର ସହଯୋଗରେ ଚଳିତ ବର୍ଷର ରଥଯାତ୍ରାକୁ ସଫଳ, ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ପାଳନ କରିବାକୁ ସଂକଳ୍ପ ଗ୍ରହଣ କରିଥିଲେ। ପରିଶେଷରେ ସଭାପତି ଚନ୍ଦ୍ରୁ ପୂଜାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ସଙ୍ଗ କରିଥିଲେ।